ନୂଆଦିଲ୍ଲୀ: କେରଳର ଥିରୁବନନ୍ତପୁରମରେ ସେପ୍ଟେମ୍ବର ୧୦ରୁ ଡିଏୱାଇ–ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ‘ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେଟର’ ବିଷୟରେ ଦୁଇଦିନିଆ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓ କେରଳ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ (କୁଡୁମ୍ବଶ୍ରୀ)ର ସହଯୋଗରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା।
ମହିଳା-ନେତୃତ୍ୱାଧୀନ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ଆଗେଇ ନେବାରେ ଇନକ୍ୟୁବେଟର କାର୍ଯ୍ୟକ୍ରମର ଭୂମିକାକୁ ଉଲ୍ଲେଖ କରିଥିଲେ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସଚିବ ଶୈଳେଶ କୁମାର ସିଂହ। ତାଙ୍କ ଉଦଘାଟନୀ ଭାଷଣରେ ସେ କହିଥିଲେ ଯେ, ଡିଏୱାଇ–ଏନଆରଏଲଏମ ୧୦ କୋଟିରୁ ଅଧିକ ମହିଳାଙ୍କୁ ୯୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରିଛି, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଥମ ପିଢ଼ିର ଉଦ୍ୟୋଗୀ। ସେ ଆସାମ, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ପାଇଲଟ ପ୍ରକଳ୍ପର ସଫଳତା ଉଲ୍ଲେଖ କରି, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ପ୍ରମୁଖ ଶିକ୍ଷାଗତ ଅଂଶୀଦାରଙ୍କ ସହିତ ସହଯୋଗରେ କାର୍ଯ୍ୟ କରୁଥିବା ମଧ୍ୟ ଆଲୋକିତ କରିଥିଲେ।
ସମାବେଶକୁ ସମ୍ବୋଧିତ କରି, କେରଳର ସ୍ଥାନୀୟ ସ୍ୱରାଜ୍ୟ ମନ୍ତ୍ରୀ ଏମ.ବି. ରାଜେଶ, କୁଡୁମ୍ବଶ୍ରୀ ମାଧ୍ୟମରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପ୍ରତି କେରଳର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏହି କର୍ମଶାଳା ଗ୍ରାମୀଣ ଉଦ୍ୟୋଗ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ସହଯୋଗ, ନବସୃଜନ ଓ ଶିକ୍ଷା-ଆଦାନପ୍ରଦାନ ପାଇଁ ଏକ ମୂଲ୍ୟବାନ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।
ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଗ୍ରାମୀଣ ବିକାଶ) ସ୍ୱାତୀ ଶର୍ମା, ମହିଳା-ନେତୃତ୍ୱାଧୀନ ଗ୍ରାମୀଣ ଉଦ୍ୟୋଗ ପାଇଁ ଇନକ୍ୟୁବେଟର କାର୍ଯ୍ୟକ୍ରମକୁ ଏକ ଜାତୀୟ ପ୍ଲାଟଫର୍ମ ଭାବରେ ବିକଶିତ କରିବା ପ୍ରତି ମନ୍ତ୍ରଣାଳୟର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବାର୍ତ୍ତା ପ୍ରଦାନ କରି, ସେ କହିଥିଲେ ଯେ, ଏହି କର୍ମଶାଳା ଦୀର୍ଘକାଳୀନ ସଫଳତା ପାଇଁ କାର୍ଯ୍ୟକ୍ଷମ ରଣନୀତି ଏବଂ ଦୃଢ଼ ସହଭାଗୀତା ସୃଷ୍ଟି କରିବ।
ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶକ (ଗ୍ରାମୀଣ ବିକାଶ) ରାଜେଶ୍ୱରୀ ଏସ.ଏମ. କହିଥିଲେ ଯେ, ଏହି କର୍ମଶାଳା ଇନକ୍ୟୁବେଟର ପ୍ରକଳ୍ପ ପାଇଁ ମନୋନୀତ ଉଦ୍ୟୋଗମାନଙ୍କର ବିକାଶ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟିରେ ସାହାଯ୍ୟ କରିବ। ସେ ଡିଏୱାଇ–ଏନଆରଏଲଏମ ଏବଂ ଇନକ୍ୟୁବେଟର କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ମଧ୍ୟ ପ୍ରଦାନ କରିଥିଲେ। କୁଡୁମ୍ବଶ୍ରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଚ୍. ଦିନେଶନ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ, ଆସାମ କୃଷି ବିଶ୍ୱବିଦ୍ୟାଳୟର ଉପ-କୁଳପତି ଡକ୍ଟର ବିଦ୍ୟୁତ୍ ସି. ଦେଖା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ, କୁଡୁମ୍ବଶ୍ରୀର ମୁଖ୍ୟ ପରିଚାଳନା ଅଧିକାରୀ ସି. ନବୀନ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ।
ଏହି କର୍ମଶାଳାରେ ଶିକ୍ଷା, ଶିଳ୍ପ ଏବଂ ସାମାଜିକ ଉଦ୍ୟୋଗ ନେଟୱାର୍କର ପ୍ରଖ୍ୟାତ ବିଶେଷଜ୍ଞଙ୍କ ଅଂଶଗ୍ରହଣ ସହିତ ପରାମର୍ଶ, ଆର୍ଥିକ, ପ୍ରଯୁକ୍ତିବିଦ୍ୟା ଏବଂ ବଜାର ପ୍ରବେଶ ଉପରେ ପ୍ୟାନେଲ ଆଲୋଚନା ହେବ। ବିଶେଷଜ୍ଞଙ୍କ ଅନ୍ତର୍ଦୃଷ୍ଟି ଏବଂ ଅବଦାନ ରାଜ୍ୟଗୁଡ଼ିକରେ ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେସନର ପ୍ରସାରକୁ ଆକାର ଦେବାରେ ସାହାଯ୍ୟ କରିବ। ଦୁଇ ଦିନିଆ ଆଲୋଚନା ରାଜ୍ୟଗୁଡ଼ିକରେ ଉଦ୍ୟୋଗ ଇନକ୍ୟୁବେସନର ପ୍ରସାର ପାଇଁ କାର୍ଯ୍ୟକ୍ଷମ ରଣନୀତି ପ୍ରଦାନ କରିବ। ଏହା ବିକଶିତ ଭାରତ@୨୦୪୭ର ଦୃଷ୍ଟିକୋଣ ସହ ଡିଏୱାଇ-ଏନଆରଏଲଏମ ଅଧୀନରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି।