ଭୁବନେଶ୍ଵର: ସେନାର ଅଗ୍ନିପଥ ଯୋଜନା ପାଇଁ ଆସନ୍ତା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସୈନିକ ସ୍କୁଲରେ ଏକ ନିଯୁକ୍ତି ଶିବିର ଅନୁଷ୍ଠିତ ହେବ। ଅଗ୍ନିପଥ ଯୋଜନାରେ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିବା କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ପ୍ରାର୍ଥୀମାନେ ଏହି ଶିବିରରେ ଅଂଶଗ୍ରହଣ କରିବେ। ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପଞ୍ଜିକୃତ ଇ-ମେଲ ଆଇଡିରେ ପ୍ରବେଶ ପତ୍ର ପଠାଯାଇଛି। ସେମାନେ ନିଯୁକ୍ତି ଶିବିରରେ ଶାରୀରିକ ସୁସ୍ଥତା ଏବଂ ଡାକ୍ତରୀ ପରୀକ୍ଷାର ସମ୍ମୁଖୀନ ହେବେ।
ଭାରତୀୟ ସେନାର ୱେବସାଇଟ୍ରୁ ପ୍ରାର୍ଥୀମାନେ ନିଜର ପ୍ରୋଫାଇଲ ଲଗିନ୍ କରି ନିଯୁକ୍ତି ଶିବିର ପାଇଁ ପ୍ରବେଶ ପତ୍ର ଡାଉନଲୋଡ କରିପାରିବେ। ନିଯୁକ୍ତି ଶିବିରକୁ ନେଇ କୌଣସି ଠକାମୀ କରିବା କିମ୍ୱା ନିୟମର ଅପବ୍ୟବହାର କରିବା କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ କୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀମାନେ କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ସହିତ ୦୬୭୧୨୩୦୫୨୮୦, ୯୪୩୭୧୬୨୨୮୦ ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ।