ନୂଆଦିଲ୍ଲୀ: ଦେଶର ପ୍ରଥମ ସ୍ୱଦେଶୀ ଯୁଦ୍ଧବିମାନବାହୀ ଯୁଦ୍ଧଜାହାଜ (ଆଇଏସି 1), ଆଇଏନଏସ ବିକ୍ରାନ୍ତ ଏକ ମହତ୍ୱାକାଂକ୍ଷୀ ଏବଂ ଆତ୍ମନିର୍ଭରଶୀଳ ଭାରତର ଗୌରବ ରୂପେ ଦଣ୍ଡାୟମାନ। ଭାରତୀୟ ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ ଏବଂ କୋଚିନ୍ ସିପୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଇଥିବା ଏହା ହେଉଛି ଦେଶର ସବୁଠାରୁ ବଡ଼ ଯୁଦ୍ଧଜାହାଜ। 2 ସେପ୍ଟେମ୍ବର 2022ରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ ନୌସେନାରେ ନିୟୋଜିତ ହୋଇଥିବା ଆଇଏନଏସ ବିକ୍ରାନ୍ତ ହେଉଛି ସ୍ୱଦେଶୀ ସମ୍ଭାବନା, ସ୍ୱଦେଶୀ ସମ୍ବଳ ଏବଂ ସ୍ୱଦେଶୀ ଦକ୍ଷତାର ପ୍ରତୀକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2025 ଅକ୍ଟୋବର 19 ଏବଂ 20ରେ ଦୁଇ ଦିନ ଧରି ଆଇଏନଏସ ବିକ୍ରାନ୍ତରେ ରହିବା ସହିତ ନୌସେନା ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ନୌସେନାର ଅଧିକାରୀ ଓ ଯବାନମାନଙ୍କ ସାହସ ଏବଂ ଦେଶ ପ୍ରତି ସେମାନଙ୍କର ସମର୍ପଣକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଏନଏସ ବିକ୍ରାନ୍ତର ଦିନ ଓ ରାତ୍ରିକାଳୀନ କ୍ଷମତା, ବୁଡ଼ାଜାହଜ ବିଧ୍ୱଂସୀ ରକେଟ୍ ଆକ୍ରମଣ କ୍ଷମତା ସମେତ ବିଭିନ୍ନ ସାମର୍ଥ୍ୟର ଅବଲୋକନ କରିଥିଲେ। ଏହି ଅବସରରେ ସେ ଷ୍ଟିମ୍ ପାଷ୍ଟ, ଫ୍ଲାଇ ପାଷ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ବରଖାନାରେ ସାମିଲ ହେବା ସହିତ ନୌସେନା କର୍ମୀଙ୍କ ସହ ମତବିନିମୟ କରିଥିଲେ।
1997ରେ ସେବାନିବୃତ୍ତ ହୋଇଥିବା ଭାରତର ପ୍ରଥମ ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ ବିକ୍ରାନ୍ତ ଆର11ର ନାମାନୁସାରେ ଆଇଏନଏସ ବିକ୍ରାନ୍ତର ନାମକରଣ କରାଯାଇଛି। 1961 ଗୋଆ ମୁକ୍ତି ଅଭିଯାନ ଏବଂ 1971 ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପୂର୍ବତନ ଆଇଏନଏସ ବିକ୍ରାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଫେବୃଆରୀ 2009ରେ ଆଇନଏସ ବିକ୍ରାନ୍ତର ନିର୍ମାଣ ଆରମ୍ଭ ହୋଇଥିଲା। ଅଗଷ୍ଟ 2013ରେ ଏହାର ଲୋକାର୍ପଣ ହୋଇଥିବା ବେଳେ ଅଗଷ୍ଟ 2021ରେ ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷଣ କରାଯାଇଥିଲା। 2 ସେପ୍ଟେମ୍ବର 2022ରେ ଏହାର ଜଳାବତରଣ କରାଯାଇଥିଲା।
76 ପ୍ରତିଶତ ସ୍ୱଦେଶୀ ଉପକରଣରେ ଏହାର ନିର୍ମାଣ କରାଯାଇଛି। ସେଲ୍ ପକ୍ଷରୁ ଜାହାଜ ନିର୍ମାଣ ଲାଗି 30 ହଜାର ଟନ୍ ଲୁହା ଯୋଗାଇ ଦିଆଯାଇଥିଲା। ଏହି ପ୍ରକଳ୍ପରେ 550ରୁ ଅଧିକ ମୌଳିକ ଉପକରଣ ନିର୍ମାତା ଏବଂ 100ଟି ଏମଏସଏମଇ ସାମିଲ ହୋଇଥିଲେ। କୋଚିନ୍ ଶିପୟାର୍ଡ ଲିମିଟେଡରେ ଆଇଏନଏସ ବିକ୍ରାନ୍ତର ନିର୍ମାଣ କରାଯାଇଥିଲା ଯେଉଁଠି ଏହା 2ହଜାରରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ସହଯୋଗୀ ଶିଳ୍ପ ଓ ଯୋଗାଣକାରୀଙ୍କ ପାଇଁ 12,500ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା। ଆଇଏନଏସ ବିକ୍ରାନ୍ତ କେବଳ ଏକ ଯୁଦ୍ଧଜାହାଜ ନୁହେଁ ଏହା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ପ୍ରତୀକ।
ମୋଟ୍ 45 ହଜାର ଟନ୍ ଓଜନ ବିଶିଷ୍ଟ ଆଇଏନଏସ ବିକ୍ରାନ୍ତର ଦୈର୍ଘ୍ୟ 262.5 ମିଟର ଏବଂ ପ୍ରସ୍ଥ 61.6 ମିଟର୍। ଏଥିରେ 4ଟି ଗ୍ୟାସ ଟର୍ବାଇନ୍ ଲାଗିଛି ଯାହା 88 ମେଗାୱାଟ୍ ଶକ୍ତି ଉତ୍ପନ୍ନ କରିଥାଏ ଏବଂ ଏହା ଘଣ୍ଟାପ୍ରତି 28 ନଟିକାଲ୍ ମାଇଲ୍ ବେଗରେ ଗତି କରିବାକୁ ସକ୍ଷମ। ଏହି ଯୁଦ୍ଧଜାହାଜରେ ମୋଟ୍ 22ଶହଟି କମ୍ପାର୍ଟମେଣ୍ଟ ଅଛି ଯେଉଁଠି ମହିଳା ଅଧିକାରୀ ଓ ନାବିକଙ୍କ ସମେତ ପ୍ରାୟ 1,600 ନୌସେନା କର୍ମୀ ଏକସଙ୍ଗେ ରହିପାରିବେ। ଏହି ଯୁଦ୍ଧଜାହାଜ ମିଗ୍-29କେ, କାମୋଭ୍-31, ଏମଏଚ-60ଆର୍, ମିଗ୍ 29 କେୟୁବି, ଚେତକ, ଏମଏଚ 60 ଆର୍ ଏବଂ ଏଏଲଏଚ ହେଲିକପ୍ଟର ସମେତ 30ଟି ବିମାନକୁ ଏକସଙ୍ଗେ ବହନ କରିପାରିବ। ଆଇଏନଏସ ବିକ୍ରାନ୍ତରେ ଯେତିକି ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୋଇଥାଏ ତାହା ପ୍ରାୟ 5ହଜାର ପରିବାରକୁ ବିଦ୍ୟୁତ ଯୋଗାଇବାକୁ ସକ୍ଷମ। ଏହାର ଭିତରେ ଲାଗିଥିବା ତାରକୁ ଲମ୍ବାଇଲେ କୋଚିରୁ କାଶୀ ପର୍ଯ୍ୟନ୍ତ ବିସ୍ତାରିତ ହୋଇପାରିବ।
ଆଇଏନଏସ ବିକ୍ରାନ୍ତ ସଫଳ ରାତ୍ରିକାଳୀନ ଯୁଦ୍ଧ ବିମାନ ଅବତରଣ ପରୀକ୍ଷଣ କରିଥିଲା, ଯାହା ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଜଟିଳ ମିଶନ ପାଇଁ ପ୍ରସ୍ତୁତି ପ୍ରଦର୍ଶନ କରିଥିଲା। ଦିନ ରାତି 750 ଘଣ୍ଟା ଧରି ଯୁଦ୍ଧବିମାନ ଏବଂ ହେଲିକପ୍ଟର ଉଡ଼ାଣ ଅବତରଣ କରାଇ ଏହା ନିଜର ପ୍ରସ୍ତୁତି ପ୍ରଦର୍ଶନ କରିଥିଲା। ଫେବୃଆରୀ 2024ରେ ଆଇଏନଏସ ବିକ୍ରାନ୍ତ ମିଲାନ୍ 24 ସମରାଭ୍ୟାସରେ ନିଜର ଅସାଧାରଣ ସାମର୍ଥ୍ୟ ପ୍ରଦର୍ଶନ କରିଥିଲା ଯେଉଁଥିରେ 47ଟି ଦେଶର ନୌସେନା, 36ଟି ଯୁଦ୍ଧଜାହାଜ, 55ଟି ଯୁଦ୍ଧବିମାନ ଭାଗ ନେଇଥିଲେ। ସେହିପରି ଏହା ଫରାସୀ ନୌସେନା ସହିତ ବରୁଣ ଏବଂ ବ୍ରିଟିଶ ନୌସେନା ସହ ଅପରେସନ କୋଙ୍କଣ ସମରାଭ୍ୟାସରେ ଭାଗ ନେଇଥିଲା। ମାର୍ଚ୍ଚ 2025ରେ ଗୋଆର ପଶ୍ଚିମରେ ସମୁଦ୍ରରେ 230 ନଟିକାଲ୍ ମାଇଲ୍ ଦୂରରେ ଏମଭି ହେଲାନ୍ ଷ୍ଟାରରୁ ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ଏହା ବହୁମୁଖୀ କ୍ଷମତାର ପ୍ରଦର୍ଶନ କରିଥିଲା।
ସିନ୍ଦୁର ଅପରେସନ୍ ସମୟରେ ଭାରତୀୟ ନୌସେନାର ଆକ୍ରମଣାତ୍ମକ ପ୍ରତିରକ୍ଷା ଅଭିଯାନରେ ଆଇନଏସ ବିକ୍ରାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଉତ୍ତର ଆରବ ସାଗରରେ ନିୟୋଜିତ ଏହି ଯୁଦ୍ଧଜାହାଜ ପାକିସ୍ତାନ ନୌସେନାକୁ ରକ୍ଷଣାତ୍ମକ ସ୍ଥିତିରେ ରହିବାକୁ ବାଧ୍ୟ କରିଥିଲା। ଫଳରେ ଶତ୍ରୁ ଦେଶ ତୁରନ୍ତ ଯୁଦ୍ଧବିରତି ନିମନ୍ତେ ବ୍ୟାକୁଳତା ପ୍ରକାଶ କରିଥିଲା। ବିଭିନ୍ନ ଉଦ୍ଧାର ଅଭିଯାନରେ ମଧ୍ୟ ଏହି ଜାହାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଭାରତର ବିସ୍ତୃତ ସାମୁଦ୍ରିକ ରଣନୀତି ବିଶେଷ କରି ସାଗର ଅଭିଯାନକୁ ସାକାର କରିବା କ୍ଷେତ୍ରରେ ଏହି ଯୁଦ୍ଧଜାହାଜର ପ୍ରମୁଖ ଭୂମିକା ରହିଛି।
ଭାରତ ସ୍ୱଦେଶୀ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିଛି। ଡିସେମ୍ବର 2024 ସୁଦ୍ଧା ଭାରତୀୟ ନୌସେନା ପାଖରେ 133ଟି ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ରହିଛି। ନୌସେନାରେ ସାମିଲ ହେବାକୁ ଯୋଜନା କରାଯାଇଥିବା 64ଟି ଯୁଦ୍ଧଜାହାଜ ମଧ୍ୟରୁ 63ଟି ଭାରତରେ ନିର୍ମିତ ହେଉଛି। ଏଥିରେ ମହାନ ଆଇଏନଏସ ବିକ୍ରାନ୍ତ ବିମାନବାହୀ ଯୁଦ୍ଧ ଜାହାଜ ସହିତ ଏବଂ ଆଇଏନଏସ ଅରିହନ୍ତ ଏବଂ ଆଇଏନଏସ ଅରିଘାତ ଭଳି ଆଣବିକ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ଅନ୍ତର୍ଭୁକ୍ତ। ଆଇଏନଏସ ବିକ୍ରାନ୍ତ ଦେଶକୁ ଏକ ନୂତନ ଆତ୍ମବିଶ୍ୱାସରେ ଭରି ଦେଇଛି ଏବଂ ଦେଶରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି।



