ନୂଆଦିଲ୍ଲୀ: ମିଲେଟ ବା ପୁଷ୍ଟିକର ଶସ୍ୟର ଚାଷ ଏବଂ ଉପଯୋଗକୁ ବଢାଇବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରିଆସୁଛନ୍ତି। କେନ୍ଦ୍ର ସରକାର ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ଜାତିସଂଘ ମଧ୍ୟ ଏହାକୁ ମାନ୍ୟତା ଦେଇଛି। ପ୍ରଧାନମନ୍ତ୍ରୀ ମିଲେଟକୁ ଶ୍ରୀଅନ୍ନ ଉପାଧି ଦେଇ ଏହାର ବହୁଳ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଓଡିଶା ସରକାର ପୁଷ୍ଟି ଶସ୍ୟର ପ୍ରୋତ୍ସାହନ ଲାଗି ମିଲେଟ ମିଶନ କାର୍ଯ୍ୟକାରୀ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାକୁ ଏହି ମିଶନରେ ସାମିଲ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଲେଟ ଚାଷ କରାଯାଉଛି। ବିଭିନ୍ନ ମହିଳା ଗୋଷ୍ଠୀ ଏବଂ ଚାଷୀମାନେ ଚଳିତ ବର୍ଷ ଜିଲ୍ଲାର ୫୭୯ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଛନ୍ତି। ଏହି ମାଣ୍ଡିଆ ଚାଷ ଗ୍ରାମୀଣ ମହିଳାଙ୍କୁ ଅନେକ ଆଶା ଓ ବିଶ୍ୱାସ ଦେଇଛି।
ପୂର୍ବରୁ କେବଳ ଧାନ ଉତ୍ପାଦନକୁ ନେଇ ଖ୍ୟାତି ଅର୍ଜନ କରିଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ମାଣ୍ଡିଆ ସହ ବାଜରା ଏବଂ ଯଅ ପରି ପୁଷ୍ଟି ଶସ୍ୟ ଚାଷ କରାଯାଉଛି। ବିଶେଷକରି ବୀର ମହାରାଜପୁର ଏବଂ ଉଲୁଣ୍ଡା ଭଳି ଅଣ ଜଳସେଚିତ ବ୍ଲକରେ ମୁଖ୍ୟତଃ ପୁଷ୍ଟି ଶସ୍ୟ ଚାଷ କରାଯାଉଛି। ଓଡିଶା ମିଲେଟ ମିଶନ ପ୍ରୋତ୍ସାହନରେ ଜିଲ୍ଲାର ୭୨୬ ଜଣ ଚାଷୀ ଏବଂ ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଣ୍ଡିଆ ଚାଷ କରିଛନ୍ତି।
ମାଣ୍ଡିଆ ଚାଷ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଚାଷୀଙ୍କୁ ହେକ୍ଟର ପିଛା ୧୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ଉତ୍ପାଦିତ ଶସ୍ୟର ବିକ୍ରି ପାଇଁ କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ମଣ୍ଡି ଖୋଲାଯାଇଛି। ମଣ୍ଡିଆ ଜାତୀୟ ଫସଲ ଚାଷକରି ଜିଲ୍ଲାର ଚାଷୀମାନେ ଆର୍ଥିକ ଭାବେ ସ୍ୱାବଲମ୍ବି ହେବା ସହିତ ପୁଷ୍ଟିସାଧନର ଚାହିଦାକୁ ପୂରଣ କରିପାରୁଛନ୍ତି।


