ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ, ଓଡିଶା
ଗତ କେତେ ସପ୍ତାହ ଧରି ଓଡିଶା ବଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ଅନେକ ବ୍ୟକ୍ତିଙ୍କୁ ଆତିଥେୟତା ପ୍ରଦାନ କରିଛି । ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍-ଇନ୍-ଓଡିଶା କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଶିଳ୍ପପତି ମାନେ ଏକାଠି ହୋଇଥିଲେ । ସେହିପରି ବିଭନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ବିଶ୍ୱ ପ୍ରସିଦ୍ଧ କଳାକାର, ସାଂସ୍କୃତିକ ତଥା କ୍ରୀଡା ଜଗତର ଖ୍ୟାତନାମା ବ୍ୟକ୍ତିତ୍ୱ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ୧୬ଟି ଦେଶର ଖେଳାଳୀ, କର୍ମକର୍ତ୍ତା ତଥା ଉଚ୍ଚ ପଦାଧିକାରୀମାନେ ମଧ୍ୟ ଏହି ସମୟରେ ଓଡିଶା ଭ୍ରମଣରେ ଆସିଛନ୍ତି । ନିକଟରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ପୁରୁଷ ହକି ବିଶ୍ୱ କପ୍ ସଫଳତାର ସହ ଶେଷ ହୋଇଛି । ଏସବୁ କାର୍ଯ୍ୟକ୍ରମ ମଧ୍ୟରେ ମୁଁ ଓଡିଶା ତରଫରୁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଯେତେବେଳେ ଭେଟିଛି, ସେତେବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବରାମ୍ବାର ପ୍ରତିଧ୍ୱନିତ ହୋଇଛି, “କେଡେ ସୁନ୍ଦର ଏ ଜାଗା, କେତେ ଭଲ ଲୋକ” । ଘନ ଅରଣ୍ୟାନୀ, ସ୍ନିଗ୍ଧ, ମନୋରମ ବେଳାଭୂୂମି ଏବଂ କାଳଜୟୀ କୀର୍ତ୍ତିରାଜିରେ ବିମଣ୍ଡିତ ଓଡିଶା ବାସ୍ତବିକ ଧରାପୃଷ୍ଠରେ ଏକ ସୁନ୍ଦର ଭୂମି-ବାସ୍ତବିକ ଏହା ଇଶ୍ୱରରଙ୍କର ଉପହାର । ତା ସହିତ ଓଡିଆ ଜାତିର ଭଲପଣିଆ, ଏହା ମୋତେ ଭାବପ୍ରବଣ କରି ଦେଇଛି ।
ଭଲ ଲୋକଙ୍କ ସାନ୍ନିଧ୍ୟ ସବୁବେଳେ ଉତ୍ସାହପ୍ରଦ । ଏହା ଏକ ଅନନ୍ୟ ଅନୁଭବ । ଭଲପଣ ମଣିଷକୁ ସହଜ କରିବା ସହିତ ବ୍ୟକ୍ତି ଭିତରେ ଥିବା ସର୍ବୋତ୍କୃଷ୍ଟ ଗୁଣକୁ ପ୍ରକାଶ କରିବାପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଓଡିଶା ଆସୁଥିବା ଲୋକମାନେ ଆମର ଭଲ ଗୁଣ ଦ୍ୱାରା ଏତେ ଗଭୀର ଭାବରେ ପ୍ରଭାବିତ ଯେ ସେମାନେ ଅନ୍ୟ ସ୍ଥାନକୁ ଗଲେ ଏହି ଭଲ ପାଇବାର ଅଭାବକୁ ଅନୁଭବ କରି ଆମକୁ ସେମାନଙ୍କ ସହିତ ତୁଳନା କରି ବସୁଛନ୍ତି । ଏହି ଭଲ ପାଇବାର ଅଭାବ ଦ୍ୱାରା ମଣିଷପଣିଆର କ୍ଷତି ହେଉଛି ।
ମୁଁ ଭାବେ ଆମ ଓଡିଆଙ୍କ ବ୍ୟବହାରର ୪ଟି ମୌଳିକ ଦିଗ ଆମର ଭଲ ପଣିଆର ପରିପ୍ରକାଶ କରେ । ପ୍ରଥମଟି ହେଉଛି, ଅନ୍ୟମାନଙ୍କ ପ୍ରତି ଆମର ସମ୍ମାନବୋଧ । ଆମର ପୂର୍ବପୁରୁଷମାନଙ୍କର ସମସ୍ତଙ୍କ ପ୍ରତି ଗଭୀର ସମ୍ମାନ ରହିଥିଲା-ସେ ସଜୀବ ହେଉ ବା ନିର୍ଜୀବ । ଏହା ସେମାନଙ୍କ ବୌଦ୍ଧିକ ଜ୍ଞାନ ବା ପାଣ୍ଡିତ୍ୟର ଉଦାହରଣ ନଥିଲା ବରଂ ଏହା ସେମାନଙ୍କ ଆଧ୍ୟାତ୍ମିକ ଅନୁଭବରୁ ହିଁ ଆସିଥିଲା । ଆଧ୍ୟାତ୍ମିକ ଅନୁଭୂତିରୁ ଆମେ ଜାଣୁ ଯେ ଆମର ସମସ୍ତ ବସ୍ତୁ ସହିତ ସମ୍ପର୍କ ରହିଛି, ତେଣୁ ଆମେ ସମସ୍ତଙ୍କୁ ସମ୍ମାନର ସହିତ ଦେଖିବା ଉଚିତ୍ ।
ଆମର ବ୍ୟବହାରର ପରବର୍ତ୍ତୀ ଦିଗଟି ହେଉଛି ବିନମ୍ରତା । ଦେଖିବାକୁ ଗଲେ, ବିନମ୍ରତା ବିନା କେହି ଅନ୍ୟର ସମ୍ମାନଭାଜନ ହୋଇପାରିବ ନାହିଁ । ଦୁର୍ଭାଗ୍ୟବଶତଃ, ବିନମ୍ରତାକୁ ଅନେକ ସମୟରେ ଭୟାଳୁ ଓ ଆଜ୍ଞାବହ ସ୍ୱଭାବର ପରିପ୍ରକାଶ ବୋଲି ଧରି ନିଆଯାଏ । ମୋ ମତରେ କିନ୍ତୁ, ଏହା ଠିକ୍ ନୁହେଁ । ଆମର ଗଭୀର ଅତ୍ମବିଶ୍ୱାସରୁ ହିଁ ବିନମ୍ରତାର ଜନ୍ମ । ବିନମ୍ରତାର ଏପରି ଏକ ଶକ୍ତି ରହିଛି ଯାହା କି ପରିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ବାସ୍ତବରେ, ବିନମ୍ରତା ହେଉଛି ଅଧିକ ଶକ୍ତିଶାଳୀ । ବିନମ୍ରତା ନ ଥିଲେ ଆମେ ଭଲ କଥା ଗ୍ରହଣ କରିବାର ଶକ୍ତି ହରାଇଥାଉ । କଥାରେ ଅଛି, ଗିରିଶୃଙ୍ଗ ଯେତେ ଉଚ୍ଚ ଓ ଦୃଢ ହେଲେ ବି, ବୁନ୍ଦାଏ ବର୍ଷା ଜଳ ଧାରଣ କରିବାର କ୍ଷମତା ତାହାର ନଥାଏ । ଅପରପକ୍ଷରେ ଉପତ୍ୟକାରେ ଥିବା ହ୍ରଦ ହିଁ କେବଳ ବର୍ଷାଜଳ ଧାରଣ କରିପାରେ । ତେଣୁ କୌଣସି ଉତ୍ତମ ବିଚାର ଧାରଣ କରିବାକୁ ହେଲେ, ଆମର ମନ ହ୍ରଦ ଭଳି ହେବା ଆବଶ୍ୟକ ।
ତୃତୀୟ ମୌଳିକ ଦିଗଟି ହେଉଛି ସରଳତା । ଓଡିଆ ଲୋକ ସରଳ । ସରଳ ହେବା ଅର୍ଥ ନିର୍ବୋଧ ନୁହେଁ । ଏହା କୁହାଯାଇପାରେ ଯେ ଶ୍ରେଷ୍ଠ ବ୍ୟକ୍ତି ହିଁ ସବୁଠାରୁ ସରଳ । ନମ୍ରତା ଆକର୍ଷିତ କରେ । ଉଚ୍ଚ ଆଦବକାଇଦା ମଣିଷ ମଧ୍ୟରେ ଦୂରତା ସୃଷ୍ଟି କରେ । ଏସବୁ ବ୍ୟତୀତ, ମୋ ବିବେଚନାରେ ଚତୁର୍ଥ ଦିଗଟି ହେଉଛି ଶିଷ୍ଟାଚାରୀ ହେବା ପାଇଁ ଆମ ମଧ୍ୟରେ କିଛି ପରିମାଣର କ୍ଷମା ଗୁଣ ମଧ୍ୟ ରହିବା ଜରୁରୀ । ଭଲ ଲୋକମାନେ ସହଜରେ କ୍ଷମା କରିଦିଅନ୍ତି । କ୍ଷମାର ଆତ୍ମଶୋଧନ ଶକ୍ତି ରହିଛି । ମଣିଷପଣିଆ କାଳେ କାଳେ ବଞ୍ଚିରହିିଛି । କାରଣ କେବେ କେବେ କେଉଁଠି ନା କେଉଁଠି ଆମେ କ୍ଷମା ଦେଇଛୁ । ଆମେ ଯେତେବେଳେ କ୍ଷମା କରିବାର ଶକ୍ତି ହରାଇ ବସୁ, ସେତେବେଳେ ପରିବାର, ସମାଜ ଓ ଦେଶ ଭାଙ୍ଗିଯାଏ ।
ମୁଁ ଚାହେଁ ଆମେ ସମସ୍ତେ ଜାଣିବା ଦରକାର ଯେ ଆମ ସୌଜନ୍ୟତା ଏବେ ଦୁନିଆର ନଜରକୁ ଆସିଛି । ଏହାକୁ ଦୁନିଆ ପସନ୍ଦ ମଧ୍ୟ କରିଛି । ଏହା ସମଗ୍ର ଓଡିଆ ଜାତିର ସାମୁହିକ ତଥା ସାମଗ୍ରିକ ଚରିତ୍ର । ଯଦି ପାଖରେ ଟଙ୍କା ଅଛି, ତେବେ ଆପଣ ସଦୃଶ୍ୟ ସଡକ, ଗଗନଶ୍ଚୁମ୍ବୀ ଅଟାଳିକା, ବନ୍ଦର, କାରଖାନା ଓ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ସବୁକିଛି ଗଢିପାରିବେ । କିନ୍ତୁ, ଭଲ ମଣିଷପଣିଆକୁ ଟଙ୍କାରେ ମୁଲ କରାଯାଇପାରିବ ନାହିଁ । ଏହା ଅମୂଲ୍ୟ । ଆମେ ବହୁତ ଭାଗ୍ୟବାନ ଯେ ପିଢି ପରେ ପିଢି ପୂର୍ବପୁରୁଷ ମାନେ ଆମକୁ ସମ୍ମାନବୋଧ, ବିନମ୍ରତା, ସରଳତା ଓ କ୍ଷମାଶୀଳତା ଆଦି ସଦ୍ଗୁଣ ଶିଖେଇଛନ୍ତି । ଏହାକୁ ଆମେ ଉତ୍ତରାଧିକାର ସୁତ୍ରରେ ପାଇଛୁ । ଏହିସବୁ ସୁଗୁଣ ଗୁଡିକ ମିଶି ଆମକୁ ସୌଜନ୍ୟଶୀଳ କରିଛି ଏବଂ ଏହା ଆମର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମାନେ ଉତ୍ତରାଧିକାର ସୂତ୍ରରେ ପାଇଥିବା ଏହି ମହାନ ସଂସ୍କାର ପାଇଁ ନିଜକୁ ଗୌରବାନ୍ୱିତ ମନେ କରିବା ଉଚିତ୍ । ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବା ନିର୍ଦ୍ଦିଷ୍ଟ ସମୟର ଉପଲବ୍ଧି ନୁହେଁ । ଶତାବ୍ଦୀ ଶତାବ୍ଦୀ ଧରି ସମୟର କଷଟି ପଥରରେ ପରୀକ୍ଷିତ ଏହା ଆମର ସାମୁହିକ ଉତ୍ତରାଧିକାର । ଓଡିଆ ଜାତିର ଭଲପଣିଆ ହେଉଛି ଓଡିଆଙ୍କ ଶ୍ରେଷ୍ଠ ପରିଚୟ ।
ଏଇ ଭଲପଣିଆ ସବୁକାଳେ ଆମ ପରିଚୟ ହୋଇ ରହିବା ଉଚିତ ।