ଭୁବନେଶ୍ବର: ସେ ହେଉଛନ୍ତି ଜଣେ ଫରେଷ୍ଟର, ଆଉ ଚାକିରୀ କରୁଛନ୍ତି କୋରାପୁଟରେ। ସେ ମାତ୍ର ୬୨୪ ଟଙ୍କା ମାସିକ ଦରମାରେ ଚାକିରୀ ଆରମ୍ଭ କରିଥିଲେ। ହେଲେ ଏବେ ସେ ମାଲମାଲ। କୁହାଯାଏ ଚାକିରୀ କରିବ ପୋଲିସ, ନିତି ଖାଇବ ଇଲିସ। ହେଲେ ଏବେ ଫରେଷ୍ଟ ବିଭାଗରେ ଚାକିରୀରେ ମଧ୍ୟ ଇଲିସ ଖାଇବାକୁ ମିଳୁଛି। ତାହା ପ୍ରମାଣିତ କରିଛନ୍ତି ଜଣେ ଫରେଷ୍ଟର। ହେଲେ ଚୋରଘର ସବୁବେଳେ ଅନ୍ଧାର ନ ଥାଏ। ଭାଗ୍ୟ ଖରାପ ସେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ସେ ହେଉଛନ୍ତି କୋରାପୁଟ ଫରେଷ୍ଟ ଡିଭିଜନର ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀ। ଆଜି ସକାଳୁ ତାଙ୍କର ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଆୟବର୍ହିଭୂତସମ୍ପତ୍ତି ଖାନତଲାସି କରିଛି। ତେବେ ଭିଜିଲାନ୍ସ ସୁତ୍ର ଅନୁସାରେ ବର୍ତ୍ତମାନ ସୁଦ୍ଧା ତାଙ୍କର ୩ଟି ବହୁତଳ ପ୍ରାସାଦ ଯାହା ଭୁବନେଶ୍ୱରରେ ୨ଟି ଓ କୋରାପୁଟରେ ୧ରହିଛି। ସେହିପରି ୭ଟି ପ୍ଲଟ, ସୁନା ୧ କେଜି, ଜମା ₹୬୬.୪୨ ଲକ୍ଷ, ନଗଦ ₹୯.୨୮ଲକ୍ଷ, ଆଦି ମିଳିଛି। ବର୍ତ୍ତମାନ ସୁଦ୍ଧା ଚଢାଉ ଚାଲିଥିବାରୁ ସଂପୂର୍ଣ୍ଣ ତାଲିକା ମିଳିପାରି ନାହିଁ।
ଏଥିରେ ଥିବା ଫଟୋଟି ଭିଜିଲାନ୍ସ ତରଫରୁ ଜବତ ହୋଇଥିବା ବିଭିନ୍ନ ସାମଗ୍ରୀ ଯାହା ଗଣମାଧ୍ୟମକୁ ପ୍ରଦାନ କରାଯାଇଛି।


