ଭୁବନେଶ୍ବର: “ଶୈଶବ୍ୟ ଏବଂ ଚାକିରୀ ଜୀବନର ଅଧାରୁ ଅଧିକ ଜନଜାତିର ଲୋକଙ୍କ ସହ ବିତାଇଥିବାରୁ ମୋ ମନ ଭିତରେ ୬୪ ଟି ଜନଜାତି ଏବଂ PVTG ମାନଙ୍କ ଜୀବନ କାହାଣୀ ସବୁବେଳେ ଏକ ପ୍ରେରଣା ହୋଇ ଆସିଛି। ମୋ ଉପନ୍ୟାସ “ପାର୍ଶ୍ଵସ୍ରୋତ” ରେ ତିନି ପୀଢ଼ିର ଜନଜାତିର କାହାଣୀ ପର୍ଯ୍ୟବେଶିତ। ଆଜିର ଉପନ୍ୟାସ ଉନ୍ମୋଚନ ମୋ ପାଇଁ ଏକ ଅବେଗପୂର୍ଣ୍ଣ ମୁହୂର୍ତ୍ତ । ଏହା ଏକା ଧାରାରେ ମୋ ପରି ଲେଖକଙ୍କ ପାଇଁ ଚଳଚ୍ଚିତ୍ରର ଟ୍ରେଲର ବା ଟିଜର ପରି,” କହିଥିଲେ ବରିଷ୍ଠ ପ୍ରଶାସକ ଓ ଲେଖକ ଅମ୍ରିତ୍ ଋତୁରାଜ।
ଓଡିଆ ଭାଷାରେ ତାଙ୍କର ପ୍ରଥମ ଉପନ୍ୟାସର ଉନ୍ମୋଚନ ଅବସରରେ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ଏକ ଭରପୁର ସଭାରେ ଲେଖକ ତାଙ୍କର ଲେଖକୀୟ ଦାୟିତ୍ୱବୋଧ ଏବଂ ସାମାଜିକ ସମାନତା ପ୍ରତି ଅଙ୍ଗୀକାର ତଥା ଅନ୍ୟାନ୍ୟ ବିଷୟ ବିଷୟରେ ଆଲୋକପାତ କରିବା ସହ ପ୍ରଥମ ଉପନ୍ୟାସର ଜନକ ହେବାର ପୁଲକ ବିଷୟରେ କିଛି ମନର କଥା କହିଥିଲେ।
ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ ଷଡ଼ଙ୍ଗୀ, ବିଶିଷ୍ଟ କବି ଓ କଥାକାର ଅଜୟ ସ୍ୱାଇଁ ତଥା ନାରୀବାଦୀ ଲେଖିକା ଓ ପ୍ରସିଦ୍ଧ ଔପନ୍ୟାସିକା ସରୋଜିନୀ ସାହୁ ଏବଂ ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଲେଖକଙ୍କ ପତ୍ନୀ ପ୍ରଶାସିକା ଅମୃତା ପ୍ରିୟମ୍ବଦା ମଧ୍ୟ ଏକ ଅନ୍ତିମ ଆଲୋଚନା କ୍ରମରେ ମଞ୍ଚ ମଣ୍ଡନ କରିଥିଲେ । ଶ୍ରୋତା ମଣ୍ଡଳୀରେ ବରିଷ୍ଠ ପ୍ରଶାସକ, ଅଧିକାରୀ, ପ୍ରାକ୍ତନ ପ୍ରଶାସକ, ସାମ୍ବାଦିକ, ସାହିତ୍ୟ ଅନୁରାଗୀ ଓ ଜନସାଧାରଣ ଯୋଗ ଦେଇଥିଲେ। ଦେବାଶିଷ ସାମନ୍ତରାୟଙ୍କର ଆଦିତ୍ୟ ଭାରତ ପ୍ରକାଶନ ସଂସ୍ଥା ଆନୁକୁଲ୍ୟରେ ପ୍ରକାଶିତ ଏହି ଉପନ୍ୟାସ ଅନଲାଇନ୍ ବିକ୍ରି ପାଇଁ ଉପଲବ୍ଧ।


