ରାଉରକେଲା: ରାଉରକେଲାଠାରେ ‘ସିଆଇଆଇ ଏଣ୍ଟରପ୍ରାଇଜ ଓଡିଶା’ର ପ୍ରମୁଖ ଅଂଶୀଦାରଙ୍କ ସହ ମତ ବିନିମୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ନିବେଶକୁ ତ୍ୱରାନ୍ୱିତ କରିବା, ନବସୃଜନକୁ ପ୍ରୋତ୍ସାହନ ଦେବା ଓ ରାଜ୍ୟବ୍ୟାପୀ ସମାବେଶୀ ଶିଳ୍ପ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ନୀତି ଆଧାରିତ ଆଭିମୁଖ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ରାଜ୍ୟରେ ଥିବା ନିବେଶ ଓ ଶିଳ୍ପାୟନ ସୁଯୋଗର ଲାଭ ଉଠାଇବା ପାଇଁ ସେ ଉଦ୍ୟୋଗୀଙ୍କୁ ଆହ୍ୱାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋଟ୍ ୩ଟି ରାଉଣ୍ଡ ଟେବୁଲ ବୈଠକ କରିଛନ୍ତି। ରାଉରକେଲା ଚାମ୍ବର ଅଫ୍ କମର୍ସ, ଓଡ଼ିଶା ସ୍ପଞ୍ଜ ଆଇରନ୍ ଉତ୍ପାଦନ ସଂଘ ଏବଂ ରାଞ୍ଚି ଓ ରାୟପୁରରୁ ଆସିଥିବା ଶିଳ୍ପ ପ୍ରତିନିଧିଙ୍କ ସହ ଏହି ବୈଠକ ହୋଇଥିଲା। ଏଥିରେ ମୁଖ୍ୟତଃ ରାୟପୁର-ରାଞ୍ଚି-ରାଉରକେଲା ଶିଳ୍ପ କରିଡର, କ୍ଷେତ୍ରୀୟ ସହଭାଗିତା, ବିକାଶ ସମ୍ଭାବନାକୁ ନେଇ ଆଲୋଚନା ହୋଇଥିଲା।


