Dhauli Kalinga Festival: ଭୁବନେଶ୍ବରର ପ୍ରସିଦ୍ଧ ଧଉଳି ପାଦଦେଶରେ ଆୟୋଜିତ ହୋଇ ଆସୁଥିବା ୨୨ତମ ଧଉଳି-କଳିଙ୍ଗ ମହୋତ୍ସବ ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ସଂଧ୍ୟାରେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି, ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।
ଶେଷ ସଂଧ୍ୟାରେ ଆୟୋଜକ ସଂସ୍ଥା ଓଡିଶା ଡ୍ୟାନସ ଏକାଡେମୀର ନୃତ୍ୟଶିଳ୍ପୀ ପରିବେଷଣ କରିଥିଲେ ନୃତ୍ୟାଭିନୟ ପଥ ରଜାପଥ। ଓଡିଶୀ ନୃତ୍ୟ ଗୁରୁ ତଥା ଏକାଡେମୀର ସମ୍ପାଦିକା ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ନୃତ୍ୟଶିଳ୍ପୀମାନଙ୍କ ଏହି ନୃତ୍ୟାଭିନୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା। ଏହା ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଏବଂ ସମସାମୟିକ ନୃତ୍ୟର ଏକ ସମାହର ଥିଲା।

ସେହିପରି ଏହି ସଂଧ୍ୟାରେ ଅନ୍ୟତମ ଆକର୍ଷଣ ଥିଲା କଥକ ନୃତ୍ୟ। କୋଲକାତାର ନୃତ୍ୟଦିଶାର ନୃତ୍ୟଶିଳ୍ପୀମାନେ ଏହି ନୃତ୍ୟ ପରିବେଷଣ କରିଥିଲେ। କଥକ ନୃତ୍ୟ ଗୁରୁ ସୌଭିକ ଚକ୍ରବର୍ତ୍ତି ଏବଂ ତାଙ୍କର ଛାତ୍ରଛାତ୍ରୀଙ୍କ ଏହି ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ଶେଷ ସଂଧ୍ୟାର ଶେଷ କାର୍ୟ୍ୟକ୍ରମ ଥିଲା ସାମରିକ ନୃତ୍ୟକଳା କଲରାପାୟୁଟ। ଏହାକୁ କେରଳର ବେଲରାଜ ସୋନୀ ଏବଂ ତାଙ୍କ ସାଥୀ କଳାକାର ପରିବେଷଣ କରିଥିଲେ।
ଏହି କାର୍ୟ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା ନିର୍ଦ୍ଦେଶକ ଡ଼ଃ ବିଜୟ କେତନ ଉପାଧ୍ୟାୟ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପଦ୍ମଶ୍ରୀ ଡଃ ପ୍ରିୟମ୍ବଦା ମହାନ୍ତି ହେଜମାଦୀ , ବିଶିଷ୍ଟ ଓଡ଼ିଶୀ ଓ ଛଉ ନୃତ୍ୟଶିଳ୍ପୀ ତଥା ନୃତ୍ୟ ଅନୁଷ୍ଠାନ ଇକ୍ସଗ୍ଧ ଠସଗ୍ଦସକ୍ଟଦ୍ଭ ର ନିର୍ଦ୍ଦେଶିକା ଡଃ ଇଲିଆନା ସିତାରିଷ୍ଟ,ଓଡ଼ିଶା ନୃତ୍ୟ ଏକାଡେମୀର ସମ୍ପାଦିକା ପଦ୍ମଶ୍ରୀ ଡ଼ଃ ଅରୁଣା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଗଣ ଉପସ୍ଥିତ ଥିଲେ। ଏହି ନୃତ୍ୟ ଉତ୍ସବ ତିନିଦିନ ଧରି ଆୟୋଜିତ ହେଉଥିଲା।


