ଭୁବନେଶ୍ବର: ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ଦୀର୍ଘ ବର୍ଷ ପରେ ପୁଣି ଦଳକୁ ଫେରିଛନ୍ତି। ସେହିପରି ଅନ୍ୟତମ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଏ ନେଇ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା। ଏଥିରେ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଯୋଗ ଦେଇ ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ।

ଏହାପରେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତାଙ୍କର ଆର୍ଶିବାଦ ନେଇଥିଲେ। ବର୍ତ୍ତମାନ କିଛି ଦନ ଧରି ବାଲେଶ୍ବର ରାଜନୀତି ବେଶ ସରଗରମ ରହିଛି। ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ବିଜେପିରେ ମିଶିବା ପରେ ସେଠାକାର ରାଜନୀତିର ଚକ ବୁଲିଯାଇଥିଲା। ଏହାପରେ ତାଙ୍କର ଧର୍ମପତ୍ନୀ ସୁବାସିନୀ ଜେନା କ୍ରସ ଭୋଟିଂ କରିବା ପରେ ଏହା ଆହୁରି ଚର୍ଚ୍ଚାକୁ ଆସିଥିଲା। ଏମାନଙ୍କର ଗତିବିଧି ଦେଖିବା ପରେ ବସ୍ତାର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ରଘୁ ମହାନ୍ତି ବିଜେଡି ଫେରିବେ ବୋଲି ସ୍ପଷ୍ଟ ହୋଇଥିଲା। ସେହିପରି ବିଜେପିରୁ ଇସ୍ତଫା ଦେ ଥିବା ଜୀବନ ପ୍ରଦୀପ ମଧ୍ୟ ବିଜେଡିରେ ଯୋଗ ଦେବେ ବୋଲି ଜଣାପଡିଥିଲା।


