ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଆଇଏନଏସ ଚିଲିକାରୁ ଜଣେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର କରିଛି ବାଲୁଗାଁ ପୋଲିସ ।
ଗତ ୮ ତାରିଖରେ ଉତ୍ତରପ୍ରଦେଶ ମିରଠ ଜିଲ୍ଲା ଅହମ୍ମଦ ଢୋମି ଗ୍ରାମର ଅଗ୍ନିବିର କାର୍ତ୍ତିକ ଯାଦବଙ୍କ (୧୯) ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପ୍ରଶିକ୍ଷାର୍ଥୀ ଜଣକ ରହୁଥିବା ବ୍ୟାରେକ ପାଖରେ ଥିବା ଜିମ ହଲ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବାବେଳେ ନୌସେନା ବିଭାଗ କର୍ମଚାରୀ ମୃତ ଦେହକୁ ଉଦ୍ଧାର କରି କ୍ୟାମ୍ପ ଭିତରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ଅଗ୍ନିବୀରଙ୍କୁ ମୃତ ଘୋଷଣା କରିଥିଲେ ।
ମୃତ ଅଗ୍ନିବୀର ଜଣକ ବିହାର ଭୋଜପୁର ଜିଲ୍ଲା ସନ୍ଦେଶ ଥାନା ଅନ୍ତର୍ଗତ ସରିପୁର ଗ୍ରାମର ବିକାଶ କୁମାର।ମୃତ ବିକାଶଙ୍କ ବାପା ଚିଲିକା ନୌସେନା କ୍ୟାମ୍ପରେ ପହଞ୍ଚି ପୁଅକୁ ଚି଼ହ୍ନଟ କରିଥିଲେ । ଏନେଇ ବିକାଶଙ୍କ ବାପା ପିଣ୍ଟୁ ଶାଓ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗ ପରେ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ୧୫୨/୨୬ ରେ ଏକ ମାମଲା ରୁଜୁ କରି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଜାରିରଖିଛି । ଏନେଇ ଚିଲିକା ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ନମିଳିବା ଏବଂ ଗୋଟିଏ ପରେ ଗୋଟିଏ ଏଭଳି ଅଘଟଣ ସନ୍ଦେହ ଘେରରେ ରହିଛି।


