କେଦାର ମିଶ୍ର
ଅସୁରକ୍ଷିତ ଓ ଅରକ୍ଷିତ ଜୀବ ମାନଂକର ଏକ ତାଲିକା ଯଦି ତିଆରି କରାଯାଏ ସେହି ତାଲିକାରେ ଆଉ କିଏ ରହୁ କି ନ ରହୁ ସାମ୍ବାଦିକ ନାମକ ପ୍ରାଣୀଟି ନିଶ୍ଚୟ ରହିବ! ପାଠକେ ହୁଏତ ଏ କଥା କୁ ବିଶ୍ବାସ କରି ନ ପାରନ୍ତି! ଏବେ ମଧ୍ୟ ଆପଣ ମାନେ ପାଠ ବହିରେ ପଢିଥିବା “ଅସୀ ଠାରୁ ମସୀ ବଳିୟାନ” କିମ୍ବା “ସାମ୍ବାଦିକ ହେଉଛି ସମାଜର ଜାଗ୍ରତ ପ୍ରହରୀ” ଭଳି ବାକ୍ୟ କୁ ବିଶ୍ବାସ କରୁଥାଇ ପାରନ୍ତି । ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ଓ ଏହାର କର୍ମକର୍ତ୍ତା ମାନେ ଗଣତନ୍ତ୍ରରେ ଆଗୁଆ ନାଗରିକ ବୋଲି ମଧ୍ୟ କେହି କେହି କହିପାରନ୍ତି। ଅନ୍ୟ ଏକ ଚିନ୍ତନ ଅନୁସାରେ ଗଣତନ୍ତ୍ର ର ବାକି ତିନୋଟି ସ୍ତମ୍ଭ , ଯଥା-ବିଧାନପାଳିକା, କାର୍ୟପାଳିକା ଓ ନ୍ୟାୟପାଳିକା ର ଅବକ୍ଷୟ ସହିତ ତାଳ ଦେଇ ଗଣମାଧ୍ୟମ ମଧ୍ୟ ନିମ୍ନଗାମୀ । ତେବେ ଅସଲ କଥା ଟି ହେଉଛି ସାମ୍ବାଦିକ ବେଚାରା ଗଣମାଧ୍ୟମର ଅଂଶ ବିଶେଷ ସିନା, ଏହାର ମାଲିକାନା ତା’ ପାଖରେ ନାହିଁ । ସେ ବେଚାରା କେବଳ ଦରମାଖିଆ ଚାକର । ସେ ଭିତରୁ ନବେ ଭାଗ ସାମ୍ବାଦିକ ଗୋତି ଶ୍ରମିକ ଜାତୀୟ . ସେମାନଂକୁ ସାମ୍ବାଦିକର ପରିଚୟ ପତ୍ର ଟିଏ କେବଳ ମିଳେ- ଆଉ କିଛି ମିଳେ ନାହିଁ । ସତୁରୀ ଦଶକରେ ଓଡିଶାର ଜଣେ ବିଶିଷ୍ଟ ଜନନେତା ଓ ଖବର କାଗଜ ସମ୍ପାଦକଂକୁ ତାଂକର ଅଧସ୍ତନ ସାମ୍ବାଦିକ କିଛି ମାସିକ ଭାତିଆ ମାଗିବାରୁ ମାନ୍ୟବର ସମ୍ପାଦକ ରହସ୍ୟମୟ ହସ ହସି କହିଥିଲେ- ହଇହୋ !! ପରିଚୟ ପତ୍ର ର ଭାତ ହାଣ୍ଡି ଟି ତମକୁ ଦେଇଛୁ ପରା, ପୁଣି ଭାତିଆ ଦେବୁ କିଆଁ !! କହିବା ବାହୁଲ୍ୟ, ସମ୍ପାଦକ ସିଧା ସିଧା କହିଲେ ଯେ ତମେ ନିଜେ ନିଜର ଜୀବନ ଜୀବିକା କଥା ବୁଝ ଓ ସେଥିରେ ସାମ୍ବାଦିକ ପରିଚୟର ଦୁରୁପଯୋଗ କଲେ ଆମ୍ଭର କିଛି କହିବାର ନାହିଁ ।
ତେବେ ସତୁରୀ ଦଶକ ଓ ଆଜିର ତାରିଖ ଭିତରେ ବହୁତ୍ ବଡ ଫରକ ଆସିଛି। ଗଣମାଧ୍ୟମର ଚେହେରା ଓ ଚରିତ୍ର ଇତି ମଧ୍ୟରେ ଆମୂଳଚୁଳ ବଦଳି ଯାଇଛି । ସମ୍ବାଦପତ୍ର, ଆକାଶବାଣୀ ଓ ଦୂରଦର୍ଶନ ର ସୀମିତ ପରିସର ରୁ ୨୪ * ୭ ଟେଲିଭିଜନ ଚାନେଲ୍, ପୋର୍ଟାଲ୍ , ସୋସିଆଲ୍ ମିଡିଆ ଓ ମୋବାଇଲ୍ ଖବର ର ବ୍ୟାପକ କ୍ଷେତ୍ର ରେ ଏବେ ଗଣମାଧ୍ୟମ ରେ ଚରମ ବିଷ୍ଫୋରକ ଅବସ୍ଥା ଆସି ପହଂଚିଛି। ଆଜିର ତାରିଖରେ ଖବର କେବଳ ବିକ୍ରୀଯୋଗ୍ୟ ସାମଗ୍ରୀ ନୁହଁ ଏହା ମନୋରଂଜନ ର ମାଧ୍ୟମ ମଧ୍ୟ। ଖବର ପ୍ରସ୍ତୁତି, ପ୍ରସାରଣ ଓ ବିତରଣ ସହିତ ବହୁ ପରିମାଣରେ ଅର୍ଥର ଆବଶ୍ୟକତା ପଡୁଥିବାରୁ ତାକୁ ଚଲାଇରଖିବାର ସାହସ ସାମ୍ବାଦିକ ପାଖରେ ନାହିଁ । ତେଣୁ ସମ୍ବାଦ ଶିଳ୍ପ ର ମାଲିକାନା ଆପେ ଆପେ ପଇସାବାଲାଂକ ହାତକୁ ଚାଲି ଯାଉଛି। କହିବାରେ ଦ୍ବିଧା ନାହିଁ, ଏବେ ଗଣମାଧ୍ୟମ ଜନମତକୁ ପ୍ରଭାବିତ କରିପାରୁଥିବା ଏକ ବ୍ୟବସାୟ ଯାହାର ମାଲିକାନା ଓ ପରିଚାଳନାରେ ସାମ୍ବାଦିକର କୌଣସି ବିଶେଷ ଭୂମିକା ନାହିଁ ।
ଗଣମାଧ୍ୟମର ଯେଉଁ ଚେହେରା ଆମକୁ ଦିଶୁଛି, ସେଥିରେ ହୁଏତ ସାମ୍ବାଦିକକୁ ଆମେ ଦେଖୁଛୁ। ଭଲ ଲାଗିଲେ ତାକୁ ପ୍ରଶଂସା କରୁଛୁ, ଖରାପ ଲାଗିଲେ ଗାଳି ବି କରୁଛୁ । ତେବେ ଟେଲିଭିଜନ ପରଦାରେ ଯିଏ ଚିତ୍କାର କରୁଛି ଅବା ଖବର କାଗଜରେ ଯୋଉ ସବୁ କଡା ଖବର ଲେଖୁଛି, ସେ କେବଳ ମୁଖା ମାତ୍ର। ତା’ ପଛରେ ମାଲିକର ଛାଟ ଆମକୁ ଦେଖାଯାଉ ନାହିଁ । ମାଲିକ ହେଉଛି ସବୁକିଛି। ସାମ୍ବାଦିକତା ଏବେ କର୍ପୋରଟ୍ ମାଲିକାନା ର ସଖୀ କଣ୍ଢେଇ ମାତ୍ର ! ଗୋଟେ ପକ୍ଷରେ ଅମ୍ବାନୀ, ଅଦାନୀ, ଜିନ୍ଦଲ ମାନଂକର ସ୍ବାର୍ଥ ଓ ଅପର ପକ୍ଷରେ ରାଜନୀତିର ବିଷ ବଳୟ । କ୍ଷମତା ରେ ଥିବା ସବୁ ଶାସକ ଚାହାଁନ୍ତି, ଗଣମାଧ୍ୟମ ତାଂକର ଗୁଲାମ ହୋଇ ରହୁ । ଏବେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ରୀ, ଏପରିକି ଛୋଟିଆ କୁଜିନେତା ମଧ୍ୟ ସାମ୍ବାଦିକକୁ କିଣି ନେବାକୁ ତତ୍ପର। ଏ ଦେଶର ବଡ ଗଣମାଧ୍ୟମ ସବୁର ମାଲିକାନା କର୍ପୋରଟ୍ ଓ ବଡ ବଡ ରାଜନେତାଂକ ହାତରେ ଥିବାବେଳେ ମଧ୍ୟମ ଧରଣର ବା ଛୋଟିଆ ସଂସ୍ଥା ସବୁ ଖୁଚୁରା ନେତାଂକ ହାତରେ । ତେଣୁ ସ୍ବାଧିନ ସାମ୍ବାଦିକତା ବୋଲି ଯାହା କୁହାଯାଉଛି ତାହା କେବଳ ଭ୍ରମ !
ସାମ୍ବାଦିକଂକ ଉପରେ ଅଂକୁଶ ଲଗେଇବାକୁ ଏବେ ନୁଆ ନୁଆ ତରିକା ମିଳିଯାଇଛି। ବୋଲ ମାନୁ ନଥିବା ସାମ୍ବାଦିକକୁ ଆଗେ ନିର୍ଭୀକ ବୋଲି କୁହାଯାଉଥିଲା । ସାମ୍ବାଦିକ ମାନେ ସ୍ବାଭାବିକ ଭାବରେ ଶାସନ କ୍ଷମତାରେ ଥିବା ଲୋକଂକ ବିରୋଧୀ ବୋଲି ଜନମତ ରହିଥିଲା।ଏବେ କିନ୍ତୁ ପରିସ୍ଥିତି ଅଲଗା । ଆପଣ ଯଦି ସରକାରଂକ ସପକ୍ଷରେ ଲେଖୁନାହାନ୍ତି , ଆପଣ “ଗଣିକା ସାମ୍ବାଦିକ” ବା “ପ୍ରେଷ୍ଟିଚ୍ୟୁଟ “। ପ୍ରତିଦିନ ସରକାର ଓ ସରକାରୀ ଦଳ ର ମୁଖପାତ୍ରମାନେ ନିଜକୁ ସୁପର୍ ଏଡିଟର୍ ଭାବେ ଉପସ୍ଥାପନ କରି ଆସୁଛନ୍ତି। ଏବେ କୁହାଯାଉଛି ମନ୍ତ୍ରୀ ଓ ଅମଲା ମାନେ ଯାହା ନିର୍ଦ୍ଦେଶ ଦେବେ ତାକୁ କାର୍ୟକାରୀ କରିବା ସମ୍ବାଦିକ ର କାମ। ଅନେକାଂଶରେ ସାମ୍ବାଦିକ ଏବେ ଷ୍ଟେନୋଗ୍ରାଫର୍ ଅଥବା ପୋଷ୍ଟ୍ ମ୍ୟାନ୍ । ସେ ବଡ ମାଲିକର ଇଛା ଓ ସ୍ବାର୍ଥକୁ ନେଇ ଚଳିବାକୁ ବାଧ୍ୟ।ଏକଦା ଜାତୀୟ ସ୍ତରର ଖବର କାଗଜ ଗୁଡିକ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଓ ମାପଦଣ୍ଡ ରଖି କାମ କରୁଥିଲେ । ଟାଇମସ୍ ଅଫ ଇଣ୍ଡିଆ ଅବା ହିନ୍ଦୁସ୍ତାନ୍ ଟାଇମସ୍ ଭଳି କାଗଜର ଚରିତ୍ର ଟିକେ ଅଲଗା ବୋଲି କୁହାଯାଉଥିଲା । ତେବେ ଆଜି ସେ ସ୍ଥିତି ନାହିଁ । ଏହି ସବୁ ଖବର କାଗଜର ସାମ୍ବାଦିକ ମାନେ ଅନେକାଂଶରେ ଅସହାୟ ଓ ଅସୁରକ୍ଷିତ। କିଛି ନିର୍ଦ୍ଦିଷ୍ଟ ରାଜନେତା ଏବେ ସବୁ ଗଣମାଧ୍ୟମର ଡୋର ନିଜ ହାତରେ ଧରି ବୁଲୁଛନ୍ତି ।
(ଏଠାରେ ଦିଆଯାଇଥିବା କାର୍ଟୁନ ଟି ପ୍ରସିଦ୍ଧ କାର୍ଟୁନିଷ୍ଟ ଆର॰କେ॰ ଲକ୍ଷ୍ମଣ ଙ୍କର ଗଣମାଧ୍ୟମ ସ୍ଵାଧୀନତା ଉପରେ ଏକ କିମ୍ବଦନ୍ତୀ ପର୍ଯାୟର)