ଭୁବନେଶ୍ୱର: ମହାନଦୀ ଟ୍ରିବୁନାଲ ସାମ୍ନାରେ ଓଡିଶା ଓ ଛତିଶଗଡ଼ ତରଫରୁ ମହାନଦୀରେ ଉପଲବ୍ଧ ବା ସଂଗୃହିତ ହଳରାଶିକୁ ନେଇ ଗତ ମେ 2 ତାରିଖରେ ଶୁଣାଣି ସମୟରେ ଯେଉଁ ତଥ୍ୟ ଉପସ୍ଥାପିତ ହୋଇଛି ତାହା ବିଭ୍ରାନ୍ତିକର। ଓଡିଶା ଓ ମହାନଦୀର ସ୍ୱାର୍ଥ ସହିତ ସାଲିସ କରାଯାଇଛି ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି।
ମହାନଦୀରେ କେଉଁ ସ୍ଥାନରେ କେତେ ପାଣି ଉପଲବ୍ଧ ହେଉଛି ତାର ତଥ୍ୟ ଯୁଗ୍ମ ବୈଷୟିକ କମିଟି ପ୍ରସ୍ତୁତ କରିଛି ଏବଂ ତାକୁ ଉଭୟ ଓଡିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଟ୍ରିବୁନାଲ ପାଖରେ ଦାଖଲ ହୋଇଛି। ସେହି ତଥ୍ୟ ଅନୁଯାଇ ସମଗ୍ର ମହାନଦୀର ବେସିନରେ 62. 36 ମିଲିୟନ ଏକର ଫୁଟ, ଛତିଶଗଡ଼ ଓ ଓଡିଶା ସୀମାନ୍ତରେ 28.48 ହୀରାକୁଦ ନିକଟରେ 32. 83 ଓ ନରାଜ ନିକଟରେ 56. 29 ମିଲିୟନ ଏକର ଫୁଟ ପାଣି ଉପଲବ୍ଧ। ଏହି ତଥ୍ୟ ବା ଡାଟାକୁ ଅନୁଶୀଳନ କଲେ ଦେଖାଯିବ ଯେ ଓଡ଼ିଶାରେ ମହାନଦୀରେ ପ୍ରଚୁର ପାଣି ରହିଛି ଏବଂ ଛତିଶଗଡ଼ ସହିତ ଓଡ଼ିଶାର ବିବାଦର କୌଣସି ଯଥାର୍ଥତା ନାହିଁ।
ଏଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅଣତାରକା ପ୍ରଶ୍ନର ଉତ୍ତରେ (29.8.2025) ରେ ରଖିଥିବା ତଥ୍ୟକୁ ବିଚାରକୁ ନିଆଯିବା ଉଚିତ। ସେ ବିଧାନସଭାରେ କହିଥିଲେ ଛାତିଶଗଡ଼ ଉପର ମୁଣ୍ଡରେ 41 ଟି ବୃହତ ଓ ମଧ୍ୟମ 1874 ଟି କ୍ଷୁଦ୍ର ଓ ଆହୁରି ଅନେକ ନଦୀ ଜଳ ପ୍ରକଳ୍ପ ନିର୍ମାଣ କରିଥିବାରୁ ଅଣ ମୌସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଉଛି ଏବଂ ହୀରାକୁଦ ବହୁମୁଖୀ ପ୍ରକଳ୍ପ କିଛି ବର୍ଷ ଧରି ତାହାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହୋଇପାରୁନାହିଁ।
ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ ତଥ୍ୟ ଓ ଟ୍ରିବୁନାଲରେ ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କରେ ଦାଖଲ ହୋଇଥିବା ତଥ୍ୟ ଭିତରେ ତାଳମେଳ ନାହିଁ। ବରଂ ଏହା ମୁଖ୍ୟମନ୍ତ୍ରୀଙ୍କ ତଥ୍ୟର ବିରୋଧାଚରଣ କରୁଛି ବୋଲି ଆମେ ବିଚାର କରୁ।
ଏବେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ଠିକ ସେହି କଥା ପୂର୍ବରୁ 2018/19 ମସିହାରେ ଓଡିଶା ତରଫରୁ ଟ୍ରିବୁନାଲରେ ତଥ୍ୟ ଓଡିଶା ଦାଖଲ କରିଥିଲା। ସେତେବେଳେ ଓଡିଶା ସରକାର ଟ୍ରିବୁନାଲ ଓ ସୁପ୍ରିମ କୋର୍ଟରେ ଏହି କଥା କହିଥିଲେ ଯେ ଅଣ ମୌସୁମୀ ସମୟରେ ଛତିଶଗଡ ମହାନଦୀର ସମସ୍ତ ପାଣି ଅଟକାଇ ଦେଇଥିବାରୁ ଓଡିଶା ଜଳ ସଙ୍କଟର ସମ୍ମୁଖୀନ ହେଉଛି। ସେତେବେଳେ ଛତିଶଗଡ଼ 27.48 ମିଲିୟନ ଏକର ଫୁଟ ପାଣି ବ୍ୟବହାର କରିବା ପାଇଁ ଦାବି କରିଥିଲା। ସେ ଦାବିକୁ ଓଡିଶା ଖଣ୍ଡନ କରି କହିଥିଲା ଯେ, ଛତିଶଗଡ଼ରେ ମହାନଦୀ ଅବବାହିକାରେ 27.48 ମିଲିୟନ ଏକର ଫୁଟ ପାଣି ଉପଲବ୍ଧ ନାହିଁ। ଛତିଶଗଡ଼ରେ ପ୍ରକୃତରେ 24.27 ମିଲିୟନ ଏକର ଫୁଟ ପାଣି ଉପଲବ୍ଧ ଏବଂ ସେଥିରୁ 10.83 ମିଲିୟନ ଏକର ଫୁଟ ପାଣି ବ୍ୟବହାର କରିବା ପାଇଁ ହକଦାର। ଏହି ତଥ୍ୟ ଥିଲା ବିବାଦର ମୂଳ କାରଣ। ଏହା ସହିତ ଅଣ ମୌସୁମୀ ସମୟରେ ଓଡିଶାକୁ 1.74 ମିଲିୟନ ଏକର ଫୁଟ ପାଣି ଛାଡିବାକୁ ଓଡିଶା ଦାବି କରିଥିଲା ହୀରାକୁଦକୁ କାର୍ଯ୍ୟକ୍ଷମ ରଖିବା ପାଇଁ।
ଛତିଶଗଡ଼ରେ ଯେଉଁ ଅସଂଖ୍ୟ ନଦୀ ଜଳ ପ୍ରକଳ୍ପ ମହାନଦୀ ଓ ଏହାର ଶାଖା ନଦୀରେ ନିର୍ମାଣ ହୋଇଛି ସେଥି ମଧ୍ୟରୁ ଅନେକ ବେଆଇନ ବା ସେଗୁଡିକ ପରିବେଶ ମଞ୍ଜୁରୀ ପାଇ ନଥିଲା। ଏପରିକି ଛତିଶଗଡ଼ର ପରିବେଶ ଆକଳନ ସଂସ୍ଥା ( SIEA ) ଏ ସବୁ ପ୍ରକଳ୍ପ ଗୁଡିକ ବେଆଇନ ବୋଲି ଦର୍ଶାଇ 2016 ମସିହାରେ ଛତିଶଗଡ଼ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଦେବାର ନଜିର ରହିଛି। ବେଆଇନ ଭାବରେ ନଦୀ ଜଳ ପ୍ରକଳ୍ପ ସବୁ ନିର୍ମାଣ ହେବା ଫଳରେ ଓଡିଶାକୁ ଅଣ ମୌସୁମୀ ସମୟରେ ଆବଶ୍ୟକ ପାଣି ଆସିବା ବନ୍ଦ ହୋଇଗଲା ଏବଂ ସେ ସଂକ୍ରାନ୍ତରେ ଏକ ତଥ୍ୟ ଓଡିଶା ସରକାରଙ୍କ ପକ୍ଷରୁ ଟ୍ରିବୁନାଲ ରେ ଦାଖଲ ହୋଇଥିଲା ଯେଉଁଥିରେ 2017 ମସିହାରେ ହୀରାକୁଦ କୁ ମାତ୍ର 0.702 ମିଲିୟନ ଏକର ଫୁଟ ପାଣି ଆସୁଛି ବୋଲି ଓଡିଶା ପକ୍ଷରୁ କୁହା ଯାଇଥିଲା। 2005-6 ରୁ 2015-16 ମସିହା ଭିତରେ ହୀରାକୁଦ କୁ ହାରାହାରି 1.252 ମିଲିୟନ ଏକର ଫୁଟ ପାଣି ଆସୁଥିବା ବେଳେ 2017 ମସିହା ବେଳକୁ ତାହା 44% କମ ହୋଇଗଲା। ଏହି ତଥ୍ୟ ମଧ୍ୟ ଟ୍ରିବୁନାଲ ପାଖରେ ଓଡିଶା ଉପସ୍ଥାପିତ କରିଥିଲା।
ଦୁଃଖ ଓ ପରିତାପର ବିଷୟ ଏହିକି ଯେ ପୂର୍ବରୁ ଯେଉଁ ତଥ୍ୟ ଓଡିଶା ସରକାର ଟ୍ରିବୁନାଲ ପାଖରେ ଉପସ୍ଥାପିତ କରିଥିଲେ ତାହା ସହିତ ଏବେ ଦାଖଲ ହୋଇଥିବା ତଥ୍ୟର ତାଳ ମେଳ ରହି ନାହିଁ। ବର୍ତ୍ତମାନର ତଥ୍ୟ ଅନୁସାରେ ଯଦି ଜଳ ବିବାଦର ସମାଧାନ ହୁଏ ତେବେ ଓଡିଶା ତାର ହକ ହରାଇବ ଏବଂ ମହାନଦୀ ତାର ଅସ୍ତିତ୍ବ ପାଇଁ କେବଳ ଅରଣ୍ୟ ରୋଦନ କରିବ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ବିଚାର କରେ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ ଓ ଜଳ ବିଶେଷଜ୍ଞ ମାନଙ୍କ ପ୍ରଦତ୍ତ ଡାଟା ବା ତଥ୍ୟ ଉପରେ ଭରଷା କରି ସେଥିରେ ସନ୍ତକ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଆମେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତୀ ଙ୍କ ସହିତ ଆଲୋଚନା କରିବାକୁ ଚାହୁଁ ଏବଂ ଆସନ୍ତା ମେ 20 ତାରିଖ ସୁଦ୍ଧା ଯଦି ଏହି ସୁଯୋଗ ଆମକୁ ନମିଳେ ତେବେ ଆମେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଶାନ୍ତିପୂର୍ଣ ସତ୍ୟାଗ୍ରହ କରିବୁ। ଏହା ସହିତ ମହାନଦୀ ଟ୍ରିବୁନାଲ ପାଖରେ ଓଡିଶା ବାସୀ ଙ୍କ ସ୍ୱରକୁ ପହଞ୍ଚାଇବା ପାଇଁ ଆସନ୍ତା ମେ 30 ତାରିଖରେ ହେବାକୁ ଥିବା ଶୁଣାଣି ସମୟରେ ନିରବ ସତ୍ୟାଗ୍ରହ କରିବୁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଙ୍କ ସମେତ ବାସୁଦେବ ଭଟ୍ଟ, ସଚିକାନ୍ତ ପ୍ରଧାନ, ପ୍ରସନ୍ନ ବିଶୋଇ, ଗିରିଜା ଦାସ, ଦେବ ପରିଜା ପ୍ରମୁଖ କହିଛନ୍ତି।


