ଭୁବନେଶ୍ବର: ଆଜି ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ହୋଟେଲ ପ୍ରମୋଦ ଠାରେ ଭାରତୀୟ ଜନତା ପାର୍ଟି, ଗଞ୍ଜାମ ଜିଲ୍ଲା ପକ୍ଷରୁ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬’ ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଉଦଘାଟିତ ହୋଇଯାଇଛି। ଏଥିରେ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ପ୍ରଶିକ୍ଷଣକୁ ଉଦଘାଟନ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଦଳର ନୀତି, ଆଦର୍ଶ, ବିଚାରଧାରା ଓ ଐତିହାସିକ ଯାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାମାନଙ୍କ ଭୂମିକା ଉପରେ ମନ୍ତ୍ରୀ ଆଲୋଚନା କରିଥିଲେ।
ପ୍ରଶିକ୍ଷଣ ବର୍ଗ ହେଉଛି ସଂଗଠନର ଶୃଙ୍ଖଳା, ସେବା ମନୋଭାବ ଏବଂ ରାଷ୍ଟ୍ର ନିର୍ମାଣର ସଂକଳ୍ପକୁ ଆହୁରି ସୁଦୃଢ଼ କରିବାର ଏକ ପ୍ରେରଣାଦାୟକ ମଞ୍ଚ। ଏହା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ନୂତନ ଉର୍ଜା, ସଂଗଠନ ପ୍ରତି ଆସ୍ଥା ଓ ଜନସେବା ପ୍ରତି ସମର୍ପଣ ଭାବନାକୁ ଆହୁରି ଦୃଢ଼ କରିବ ବୋଲି ମନ୍ତ୍ରୀ କହିଥିଲେ।
ଏହି ବୈଠକରେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ ଶ୍ରୀ କେ.ଅନିଲ୍ କୁମାର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ, ଜିଲ୍ଲା ପ୍ରଶିକ୍ଷଣ ବର୍ଗ ପ୍ରଭାରୀ ଶ୍ରୀ ଲଲାଟେନ୍ଦୁ ବଡ଼ୁ ଏବଂ ସହପ୍ରଭାରୀ ଶ୍ରୀମତୀ ଜୟନ୍ତୀ ପଢ଼ିହାରୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।


