ରେଢ଼ାଖୋଲ (କନ୍ଦର୍ପ ବେହେରା): ନିଜ ସାନ ଭାଇକୁ ହତ୍ୟା ଅଭିଯୋଗରେ ବଡ ଭାଇକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ରେଢ଼ାଖୋଲ ଅତିରିକ୍ତ ଜିଲ୍ଲା ଦୌରାଜଜ୍। ସୂଚନା ଥାଉକି ୨୦୨୧ ମସିହାରେ ନାକଟିଦେଉଳ ଥାନା ଅନ୍ତର୍ଗତ ଯାମୁଜୋରି ଗ୍ରାମର ଅର୍ଜୁନ ପ୍ରଧାନ ପୂର୍ବ ଶତ୍ରୁତାରୁ ତାଙ୍କର ସାନଭାଇ ଅଶୋକ କୁମାର ପ୍ରଧାନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।
ଏହି ଘଟଣାରେ ମୃତକଙ୍କ ସ୍ତ୍ରୀ ନାକଟିଦେଉଳ ଥାନାରେ ଏତଲା ଦେଇଥିଲେ। ତତ୍କାଳୀନ ଥାନା ଦାୟିତ୍ୱପ୍ରାପ୍ତ ଅଧିକାରୀ ଧର୍ମେନ୍ଦ୍ର ଭୋଇ ଏହି ଘଟଣାରେ ତଦନ୍ତ କରି ଅଭିଯକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପର ମୁହୂର୍ତ୍ତରେ ଉକ୍ତ ଘଟଣାର ତଦନ୍ତ ଭାର ତତ୍କାଳୀନ ଥାନା ଅଧିକାରୀ ବିଦୁ ଭୂଷଣ ମିଶ୍ର ଚୂଡ଼ାନ୍ତ ଅଭିଯୋଗ ପତ୍ର କୋର୍ଟରେ ଦାଖଲ କରିଥିଲେ।
ଏହି ମାମଲାରେ ରେଢ଼ାଖୋଲ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପାର୍ଥସାରଥୀ ପଟ୍ଟନାୟକ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଓ ୧୬ ଗୋଟି ଦସ୍ତାବିଜ୍ କୁ ଆଧାର କରି ଏସଟି କେସ ନଂ-୨୫/୨୦୨୧ ରେ ଅଭିଯୁକ୍ତ ଅର୍ଜୁନ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କେସରେ ସରକାରଙ୍କ ତରଫରୁ ସଂଯୁକ୍ତା କଚ୍ଛପ ଓ ତୁଷାରକାନ୍ତ କର ପରିଚାଳନା କରିଥିଲେ।


