ରାୟଗଡା: ସରକାର ସ୍ୱାସ୍ଥ୍ୟସେବାର ଉନ୍ନତି ଏବଂ ଜରୁରୀକାଳୀନ ଚିକିତ୍ସା ସେବାକୁ ନେଇ ବଡ଼ ବଡ଼ ଦାବି କରୁଥିବା ବେଳେ, ରାୟଗଡାର ଏକ ଘଟଣା ସେହି ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଯୁବକଙ୍କୁ ସମୟରେ ଆମ୍ବୁଲାନ୍ସ ସେବା ମିଳି ନଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।
ସୂଚନା ଅନୁସାରେ, ଅରୁଣ ଜଣେ ସାଙ୍ଗଙ୍କ ଜନ୍ମଦିନ ପାଳନ ପାଇଁ ରାୟଗଡା ଆସିଥିଲେ। ଘରକୁ ଫେରୁଥିବା ବେଳେ ରୟତ କଲୋନୀ ନିକଟରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତେବେ ରାତିରେ ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ପରିବାର ଲୋକେ ହସ୍ପିଟାଲ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଏହା ସତ୍ତ୍ୱେ କୌଣସି ସହଯୋଗ ମିଳିନଥିଲା।
ଅରୁଣଙ୍କ ସମ୍ପର୍କୀୟ ମହେଶ୍ୱର କୁଣ୍ଡୁଙ୍କ କହିବାନୁସାରେ, ସମୟରେ ଆମ୍ବୁଲାନ୍ସ ନ ମିଳିବା ଓ ଚିକିତ୍ସାରେ ଅବହେଳା ଯୋଗୁଁ ଅରୁଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଏପଟେ, ସେହି ରାତିରେ ଆଉ ଏକ ଦୁର୍ଘଟଣାରେ ସାଇପ୍ରିୟା ନଗର ନିକଟ ଜାତୀୟ ରାଜପଥ କଡ଼ରୁ ଜଣେ ଅଜଣା ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କୋରାପୁଟର ଦେବଦତ୍ତ ପାତ୍ର ତାଙ୍କୁ ଉଦ୍ଧାର କରି ରାୟଗଡା ଡିଏଚଏଚରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ତେବେ ଏହି ଅଭିଯୋଗ ସମ୍ପର୍କରେ ହସ୍ପିଟାଲ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ। ଅଭିଯୋଗର ସତ୍ୟତା ଯାଞ୍ଚ ସାପେକ୍ଷ।
ଅରୁଣଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଦାବି ଜୋର ଧରିଥିବା ବେଳେ, ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ରକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଘଟଣା ପରେ ପ୍ରଶ୍ନ ଉଠୁଛି—ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଗୁରୁତର ରୋଗୀଙ୍କୁ ସମୟରେ ଆମ୍ବୁଲାନ୍ସ କାହିଁକି ମିଳୁନାହିଁ? ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଆଜି ମଧ୍ୟ କାହିଁକି ଚ୍ୟାଲେଞ୍ଜ ହୋଇ ରହିଛି?


