ବାଲିଗୁଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ବଡ଼ ଧରଣର ତଦନ୍ତ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱରଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକ ବହୁସ୍ତରୀୟ ଟିମ୍ ତାଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକାସଙ୍ଗରେ ଚଢ଼ାଉ କରୁଛି।
ସୂଚନା ଅନୁଯାୟୀ, ୨ ଜଣ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହକାରୀ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଭୁବନେଶ୍ୱର, ବାରିପଦା, ଯାଜପୁର ଜିଲ୍ଲାର ଧର୍ମଶାଳା ଏବଂ କନ୍ଧମାଳର ବାଲିଗୁଡ଼ା ସମେତ ମୋଟ ୯ଟି ସ୍ଥାନରେ ତଲାସି ଅଭିଯାନ ଚଳାଇଛି।
ଚଢ଼ାଉ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ତେବେ ତଦନ୍ତ ଚାଲିଥିବାରୁ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ।


