ୱାୟାନାଡ: କେରଳର ୱାୟାନାଡ ଜିଲ୍ଲାର ଏକ ସରକାରୀ ସହାୟତାପ୍ରାପ୍ତ ସ୍କୁଲରେ ହଠାତ୍ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବା ଘଟଣା ଚିନ୍ତା ବଢ଼ାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ୱର ଓ ବାନ୍ତି ଭଳି ଲକ୍ଷଣ ଦେଖାଯାଇଥିବା ବେଳେ ୩୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ଶିକ୍ଷକ ମଧ୍ୟ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ଏକ ସପ୍ତାହ ପାଇଁ ଛୁଟି ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ପିଲାମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।
ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଅଧିକାଂଶ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସନ୍ତୋଷଜନକ। ତେବେ ଏତେ ସଂଖ୍ୟକ ପିଲା ଅସୁସ୍ଥ ହେବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।


