ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତ ସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝି ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇଥିଲେ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପ୍ରତିଷ୍ଠା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ। ଏହି ବିଦ୍ୟାଳୟଗୁଡ଼ିକ ଭବିଷ୍ୟତରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ନୂତନ ଦିଗ ଦେବା ସହିତ ଜ୍ଞାନ, ସଚେତନତା ଓ ସାମାଜିକ ପ୍ରଗତିର ନୂତନ ଅଧ୍ୟାୟ ରଚନା କରିବ ବୋଲି ଦୃଢ଼ ବିଶ୍ୱାସ କରାଯାଇଛି।
ଏହି ଅବସରରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଜଟଣୀ ବିଧାୟକ ଶ୍ରୀ ବିଭୁତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ଜିଲ୍ଲାପରିଷଦର ଅଧ୍ୟକ୍ଷ ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡଃ ଏନ୍. ତିରୁମାଲା ନାଏକ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।


