ଭୁବନେଶ୍ବର: ଲୋକସେବା ଭବନରୁ ଫାଇଲ ଚୋରୀ ଘଟଣା ନେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟତଃ ଦୁଇଟି ତଦନ୍ତ ରିପୋର୍ଟ କିଏ କାହିଁକି ଚୋରୀ କଲା ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ଯେଉଁ ଦୁଇଟି ତଦନ୍ତ ରିପୋର୍ଟ ଚୋରୀ ହୋଇଛି ତାହା ହେଲା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ସମ ହସପିଟାଲ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ। ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଗଣମାଧ୍ୟମ ଆଗରେ କହିବା ପରେ ତାହା ହଇଚଇ ସୃଷ୍ଟି କରିଛି।
ତେବେ ଲୋକସେବା ଭବନ ଖୋଳତାଡ କରିବା ପରେ ଏହି ଦୁଇଟି ଫାଇଲ ନ ମିଳିବା ପରେ ବର୍ତ୍ତମାନ ଗୃହ ବିଭାଗ କ୍ୟାପିଟାଲ ଥାନାରେ ଏଫଆଇଆର ଦେଇଛି। ଗୃହ ବିଭାଗର ଯୁଗ୍ନ ସଚିବ ଶରତ ଚନ୍ଦ୍ର ମାରଣ୍ଡି ଏ ନେଇ କ୍ୟାପିଟାଲ ଥାନାରେ ମାମଲା ଋଜୁ କରିଛନ୍ତି। ଏହାପରେ କ୍ୟାପିଟାଲ ଥାନା ତରଫରୁ ନ୍ୟାୟିକ ସଂହିତାର ଧାରା 305, 316(2), 238(ସି), 241, 61(2ବି) ରେ ଏକ ମାମଲା ରୁଜୁ କରାଯାଇଛି।


