ଭୁବନେଶ୍ୱର: ରାଜ୍ୟସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପାଠ୍ୟଖସଡ଼ା ଆଧାରରେ ଛପାଇଥିବା ବହିରେ ମାତ୍ରାଧିକ ତ୍ରୁଟି ରହିବା ଅତ୍ୟନ୍ତ ଉଦ୍ବେଗଜନକ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।
ସୂଚନାଥାଉକି, ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଛପା ଯାଇଥିବା ପାଠ୍ୟପୁସ୍ତକରେ ପ୍ରାୟ ୧୬୦୦ ରୁ ଊର୍ଦ୍ଧ୍ୱ ତ୍ରୁଟି ଦୃଷ୍ଟିଗୋଚର ହୋଇଛି। ପାଖାପାଖି ତିନି ଲକ୍ଷ ବହି ପ୍ରସ୍ତୁତିରେ ଦୁଇକୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ବହି ଛପାଇବା ପାଇଁ ୪୫ ରୁ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ୍ ୫୫ଟି ବହି ଛାପିବା ପାଇଁ ନିଷ୍ପତ୍ତି ନେଇ ଏକ କମିଟି ଗଠନ କରିଥିଲେ। ଗଣଶିକ୍ଷା ବିଭାଗର ସୂଚନାନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତିର ରୂପରେଖ କିପରି ରହିବ, କ’ଣ ନୂଆ ବିଷୟ ରଖାଯିବ, କ’ଣ ଭଲ ହୋଇପାରିବ ଇତ୍ୟାଦି ଅନେକ ବିଷୟକୁ କମିଟି ପରଖି ନିରଖି ଥିଲା। କମିଟିରେ ଥିବା ଶିକ୍ଷାବିତ୍ ମାନେ ମଧ୍ୟ ଶିକ୍ଷାବ୍ୟବସ୍ଥାରେ କିପରି ପରିବର୍ତ୍ତନ ଆସିବ, ପିଲାମାନେ ଗୁଣାତ୍ମକ ଶିକ୍ଷା କିପରି ପାଇବେ ସେ ନେଇ ବାରମ୍ବାର ବୈଠକ ବସିଥିଲା। ନିଷ୍ପତ୍ତି ଥିଲା ଏନ୍ସିଇଆର୍ଟି ପାଠ୍ୟପୁସ୍ତକ ଢାଞ୍ଚାରେ ଆମର ପ୍ରସ୍ତୁତ ହେଉଥିବା ଏସ୍ସିଇଆରଟି ପାଠ୍ୟପୁସ୍ତକକୁ ବିକଶିତ କରାଯିବ। ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ସଂପୂର୍ଣ୍ଣ ଦାୟିତ୍ୱ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏସ୍ସିଇଆର୍ଟି)କୁ ଦିଆଯାଇଥିଲା।
ପାଠ୍ୟପୁସ୍ତକରେ ରହିଥିବା ମାତ୍ରାଧିକ ତ୍ରୁଟିକୁ ନେଇ ପିଲାମାନଙ୍କୁ କିପରି ପାଠ ପଢ଼ାଯିବ ସେ ନେଇ ଓଡ଼ିଶାର ଶିକ୍ଷାବିତ୍, ଅଭିଭାବକ, ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ ମହଲରେ ଅନେକ ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସରକାର କେଉଁଭଳି ଭାବରେ ଏହି ପାଠ୍ୟପୁସ୍ତକ ପ୍ରସ୍ତୁତ କଲେ ଓ କିଭଳି ଗୁରୁତର ଭୁଲ ସହ ଏହାକୁ ପିଲାମାନଙ୍କ ଉଦ୍ଦେଶ୍ୟରେ ଛାଡ଼ି ଦିଆଗଲା ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟପୁସ୍ତକରେ ଓଡ଼ିଶାରେ ବ୍ରହ୍ମପୁର ଏକ ଜିଲ୍ଲା ବୋଲି ଉଲ୍ଲେଖ କରାଯାଇଛି। ଗୁଜୁରାଟ ବହୁତ ଲୁଣ ଉତ୍ପାଦନକାରୀ ଅଞ୍ଚଳ ବୋଲି ଦର୍ଶାଗଲା ବେଳେ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା ହୁମ୍ମା ଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଥିବା ଦର୍ଶାଯାଇଛି। ସେହିପରି ରାଜ୍ୟ ବ୍ୟବସ୍ଥାପିକାର ଗଠନକୁ ନେଇ “ସଂରଚନା’ ଶବ୍ଦ ବ୍ୟବହାର କରାଯାଇଥିବାବେଳେ ଓଡ଼ିଶା ବିଧାନ ସଭାର ଚିତ୍ର ଭାବରେ କର୍ଣ୍ଣାଟକ ବିଧାନସୌଧର ଚିତ୍ର ଦିଆଯାଇଛି।
ସେହିପରି ଅନେକ ତ୍ରୁଟି ଏଥିରେ ପରିଲକ୍ଷିତ ହୋଇଛି। କେଉଁଠି ବନାନ ଭୁଲ ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ୍। “ସୁନନ୍ଦା ପଟ୍ଟନାୟକ’ଙ୍କ ନାମକୁ ସନନ୍ଦା ପଟ୍ଟନାୟକ, “ନୀଳକଣ୍ଠ ଦାସ’ଙ୍କ ନାମକୁ “ନୀଳକଣ୍ଠ ଦାଶ’, ଡଙ୍ଗରିଆ ଜନଜାତିଙ୍କୁ “ଢୋଙ୍ଗରିଆ’ ବୋଲି ଲେଖାଯାଇଥିବା ବେଳେ ୧୯୪୮ ମସିହାରେ ଦେଶ ସ୍ୱାଧୀନ ହୋଇଥିଲା ବୋଲି ଦର୍ଶାଯାଇଛି। ଓଡ଼ିଶାର ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଥିବାବେଳେ କେବଳ ଅଷ୍ଟମ ଶ୍ରେଣୀ ବହିରେ ହିଁ ସର୍ବାଧିକ ତ୍ରୁଟି ରହିଛ । ଅତ୍ୟନ୍ତ ଖାମଖିଆଲ୍ ଭାବରେ ଏସବୁ ପ୍ରସ୍ତୁତ କରାଯାଇଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତ୍ରୁଟି ସଂଶୋଧନ କରି ପିଲାଙ୍କ ପାଖକୁ ପଠାଇ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି।
ଗ୍ରୀଷ୍ମଛୁଟି ପରେ ବିଦ୍ୟାଳୟ ଗୁଡ଼ିକ ଖୋଲୁଥିବାରୁ ପିଲାମାନଙ୍କର ପାଠପଢ଼ା ଆରମ୍ଭ ହୋଇଯିବ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ତ୍ରୁଟି ସଂଶୋଧନ ପୂର୍ବକ ନିର୍ଭୁଲ ପାଠ୍ୟପୁସ୍ତକ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବାପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।


