ନୂଆଦିଲ୍ଲୀ : ବିଦେଶ ଯାତ୍ରା ଏବଂ ପାସପୋର୍ଟ ସେବା ନେବାକୁ ଯାଉଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ବିଦେଶ ମନ୍ତ୍ରଣାଳୟ (MEA) ପକ୍ଷରୁ ଜାରି ନୂଆ ନିୟମ ଅନୁଯାୟୀ, ପାସପୋର୍ଟ ଶୁଳ୍କରେ ବ୍ୟାପକ ବୃଦ୍ଧି କରାଯାଇଛି। ନୂଆ ଦର ଜୁଲାଇ ୧, ୨୦୨୬ ଠାରୁ ସାରା ଦେଶରେ ଲାଗୁ ହେବ। ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୧୪ ବର୍ଷ ପରେ ପାସପୋର୍ଟ ଫିରେ ଏହି ସଂଶୋଧନ କରାଯାଇଛି।
ନୂଆ ବ୍ୟବସ୍ଥା ଅନୁସାରେ, ୩୬ ପୃଷ୍ଠା ବିଶିଷ୍ଟ ସାଧାରଣ ପାସପୋର୍ଟର ନୂଆ କିମ୍ବା ନବୀକରଣ ଫି ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୫୦୦ ଟଙ୍କା କରାଯାଇଛି। ସେହିପରି ୬୦ ପୃଷ୍ଠା ବିଶିଷ୍ଟ ସାଧାରଣ ପାସପୋର୍ଟ ପାଇଁ ଆବେଦକମାନଙ୍କୁ ଏବେ ୩୫୦୦ ଟଙ୍କା ଦେବାକୁ ପଡ଼ିବ, ଯାହା ପୂର୍ବରୁ ୨୦୦୦ ଟଙ୍କା ଥିଲା।
ତତ୍କାଳ ସେବା ନେଉଥିବା ଆବେଦକମାନଙ୍କ ପାଇଁ ମଧ୍ୟ ଶୁଳ୍କ ବଢ଼ିଛି। ୩୬ ପୃଷ୍ଠା ବିଶିଷ୍ଟ ତତ୍କାଳ ପାସପୋର୍ଟ ପାଇଁ ଫି ୩୫୦୦ ଟଙ୍କାରୁ ବୃଦ୍ଧି ପାଇ ୫୦୦୦ ଟଙ୍କା ହୋଇଥିବାବେଳେ, ୬୦ ପୃଷ୍ଠା ବିଶିଷ୍ଟ ତତ୍କାଳ ପାସପୋର୍ଟ ପାଇଁ ୪୦୦୦ ଟଙ୍କା ପରିବର୍ତ୍ତେ ୬୦୦୦ ଟଙ୍କା ଦେବାକୁ ପଡ଼ିବ।
ତେବେ ସରକାର କିଛି ବର୍ଗର ନାଗରିକଙ୍କ ପାଇଁ ରିହାତି ବ୍ୟବସ୍ଥା ମଧ୍ୟ ଜାରି ରଖିଛନ୍ତି। ୮ ବର୍ଷରୁ କମ୍ ବୟସର ଶିଶୁ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ନୂଆ ପାସପୋର୍ଟ ଆବେଦନ ସମୟରେ ୧୦ ପ୍ରତିଶତ ରିହାତି ମିଳିବ। ଏହା ଦ୍ୱାରା ଏହି ବର୍ଗର ଲୋକମାନେ କିଛି ଆର୍ଥିକ ସୁବିଧା ପାଇପାରିବେ।
ପାସପୋର୍ଟ ସମ୍ବନ୍ଧୀୟ ଅନ୍ୟ ସେବାର ଶୁଳ୍କ ମଧ୍ୟ ପୁନଃ ନିର୍ଦ୍ଧାରଣ କରାଯାଇଛି। ପୋଲିସ କ୍ଲିଅରାନ୍ସ ସାର୍ଟିଫିକେଟ୍ (PCC) ସହ ବିଭିନ୍ନ ପ୍ରମାଣପତ୍ର ସେବା ପାଇଁ ଫି ୭୫୦ ଟଙ୍କା କରାଯାଇଛି। ଏହି ନୂଆ ଦର ମଧ୍ୟ ଜୁଲାଇ ୧ରୁ ଲାଗୁ ହେବ।
ପାସପୋର୍ଟ ଶୁଳ୍କ ବୃଦ୍ଧି ଫଳରେ ବିଦେଶରେ ଉଚ୍ଚଶିକ୍ଷା, ଚାକିରି, ବ୍ୟବସାୟ କିମ୍ବା ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କ ଖର୍ଚ୍ଚ ବଢ଼ିବ। ବିଶେଷକରି ତତ୍କାଳ ପାସପୋର୍ଟ ସେବା ନେଉଥିବା ଆବେଦକମାନେ ଅଧିକ ଆର୍ଥିକ ଭାର ବହନ କରିବେ।
ବିଦେଶ ମନ୍ତ୍ରଣାଳୟର ମତାନୁସାରେ, ପାସପୋର୍ଟ ସେବାର ଆଧୁନିକୀକରଣ, ଡିଜିଟାଲ ବ୍ୟବସ୍ଥାର ବିସ୍ତାର ଓ ପ୍ରଶାସନିକ ବ୍ୟୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁଳ୍କରେ ଏହି ସଂଶୋଧନ କରାଯାଇଛି। ତେବେ ନୂଆ ଦର ଲାଗୁ ହେବା ପରେ ଦେଶରେ ପାସପୋର୍ଟ ଆବେଦନକାରୀଙ୍କ ଉପରେ ଏହାର ପ୍ରଭାବ କିପରି ପଡ଼ିବ, ତାହା ଉପରେ ନଜର ରହିଛି।


