ମାଲକାନଗିରି: ମାଲକାନଗିରିର ବହୁଚର୍ଚ୍ଚିତ ୭୦୦ ଗ୍ରାମ ସୁନା ଗହଣା ଲୁଟ ମାମଲାରେ ପ୍ରାୟ ପାଞ୍ଚ ବର୍ଷ ପରେ ପୋଲିସକୁ ମିଳିଛି ବଡ଼ ସଫଳତା। ତାମିଲନାଡୁର କନ୍ୟାକୁମାରୀରେ ଚଢ଼ାଉ କରି ଦୁଇ ଜଣ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ।
ଗିରଫ ଅଭିଯୁକ୍ତମାନେ ହେଲେ ମଦାସୁ ଜନ ପଲ୍ ଓରଫ ଜଗଦିଶ ଏବଂ ଇନ୍ତୁରି ଓରୁଣା ଓରଫ ଅର୍ଚ୍ଚନା। ଉଭୟେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି।
୨୦୨୧ ମସିହାରେ ମାଲକାନଗିରି ସହରର ପ୍ରସାଦ ଜୁଏଲର୍ସର ମାଲିକ ସୁବାଷ ପାଟିଲଙ୍କୁ ପୂଜା ଭୋଗ କହି ନିଶା ମିଶ୍ରିତ ମିଠା ଖୁଆଇ ଅଭିଯୁକ୍ତମାନେ ପ୍ରାୟ ୭୦୦ ଗ୍ରାମ ସୁନା ଗହଣା ଲୁଟି ନେଇଥିଲେ। ସେହିଦିନଠାରୁ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।
ଗୁପ୍ତ ସୂଚନା ଓ ବୈଷୟିକ ତଦନ୍ତ ଆଧାରରେ କନ୍ୟାକୁମାରୀରେ ଅଭିଯାନ ଚଳାଇ ପୋଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ୨୦୦ ଗ୍ରାମ ତରଳାଯାଇଥିବା ସୁନା, ଦୁଇଟି ପିସ୍ତଲ, ୯ଟି ଅଫୁଟା ଗୁଳି, ଦୁଇଟି ସୁନା ତରଳା ମେସିନ, ଗୋଟିଏ ଲାପଟପ୍ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ପୋଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହି ଲୁଟ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।


