ଭୁବନେଶ୍ୱର: ଲୋକସେବା ଭବନରେ ୬୪ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି (SLCCCI) ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖରିଫ-୨୦୨୬ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ରାଜ୍ୟରେ ପ୍ରଚଳିତ ୬୦:୧୩୦ କ୍ୟାପ ମଡେଲ ସହିତ ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ଆକଳନ ନେଇ ସମୀକ୍ଷା କରାଯାଇଥିଲା। ଏହାସହ ପାଣିପାଗ ସୂଚନା ନେଟୱାର୍କ ଓ ତଥ୍ୟ ପ୍ରଣାଳୀ (WINDs) ପ୍ରକଳ୍ପ ଅଧୀନରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ବର୍ଷା ମାପକ ସ୍ଥାପନ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା ହୋଇଛି।
ସରକାର ଫସଲ ବୀମା ଯୋଜନାରେ ଅଧିକ ଚାଷୀଙ୍କ ସମ୍ମିଳନ, ଏଗ୍ରିଷ୍ଟାକ୍ ଓ କିଷାନ କ୍ରେଡିଟ୍ କାର୍ଡଧାରୀଙ୍କ ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତି, ଡିଜିଟାଲ୍ କ୍ରପ୍ ସର୍ଭେ ଏବଂ ପ୍ରଯୁକ୍ତିଭିତ୍ତିକ ମନିଟରିଂ ଉପରେ ଗୁରୁତ୍ୱ ଦେଇଛି। ଏହାସହ ଯୋଜନାର ସ୍ୱଚ୍ଛତା ଓ କାର୍ଯ୍ୟକାରିତା ପାଇଁ ରାଜ୍ୟ ପ୍ରକଳ୍ପ ମନିଟରିଂ ୟୁନିଟ୍ (SPMU) ଗଠନ ଓ ଏହାର ଅବ୍ୟାହତ କାର୍ଯ୍ୟପ୍ରବାହ ନେଇ ମଧ୍ୟ ଆଲୋଚନା ହୋଇଛି।
ବୈଠକରେ କୃଷି, ଉଦ୍ୟାନ କୃଷି, ସମବାୟ ଓ ଅର୍ଥନୀତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।


