ବ୍ରହ୍ମପୁର: ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡ଼ମ୍ପେଟା ଗ୍ରାମରେ ସମୁଦ୍ରର ପ୍ରଳୟଙ୍କରୀ ଜୁଆର ଏବଂ କ୍ରମାଗତ ଉପକୂଳ କ୍ଷୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଗରିବ ପରିବାର ନିଜର ବାସଗୃହ ହରାଇ ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ସାଂସଦ ଡ. ପାଣିଗ୍ରାହୀ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଜରୁରୀକାଳୀନ ପତ୍ର ଲେଖି ବିପନ୍ନଙ୍କ ସୁରକ୍ଷା ଓ ସ୍ଥାୟୀ ଥଇଥାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଜିଲ୍ଲା ପ୍ରଶାସନ ନିକଟରେ ସାଂସଦଙ୍କ ପ୍ରମୁଖ ଦାବିଗୁଡ଼ିକ:
ତୁରନ୍ତ ସ୍ଥାନାନ୍ତରଣ ଓ ଆଶ୍ରୟ: ସମୁଦ୍ର କୂଳରେ ଥିବା ବିପଜ୍ଜନକ ଘରଗୁଡ଼ିକରୁ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉ।
ଜରୁରୀକାଳୀନ ସହାୟତା ଓ କ୍ଷତିପୂରଣ: ରାଜସ୍ୱ ବିଭାଗ ଦ୍ୱାରା ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଭାବିତ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଏବଂ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉ।
ସ୍ଥାୟୀ ଥଇଥାନ: ପୋଡ଼ମ୍ପେଟା ଗ୍ରାମର ଏହି ବିପନ୍ନ ପରିବାରଗୁଡ଼ିକୁ ସମୁଦ୍ର କୂଳରୁ ଦୂରରେ କୌଣସି ସୁରକ୍ଷିତ ସ୍ଥାନରେ ସ୍ଥାୟୀ ଭାବେ ଜମି ଓ ଘର ଯୋଗାଇ ଥଇଥାନ କରାଯାଉ।
ଉପକୂଳ ସୁରକ୍ଷା ପ୍ରାଚୀର: ଜଳସମ୍ପଦ ବିଭାଗ ସହାୟତାରେ ପଥର ପ୍ୟାକିଂ କିମ୍ବା ଜିଓ-ସିନ୍ଥେଟିକ୍ ବ୍ୟାଗ୍ (Geo-synthetic bags) ପକାଇ ସମୁଦ୍ର କ୍ଷୟକୁ ରୋକିବା ପାଇଁ ତୁରନ୍ତ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯାଉ।
ସାଂସଦ କହିଛନ୍ତି ଯେ, ବର୍ଷା ଦିନ ଚାଲିଥିବାରୁ ଏହି ସମସ୍ୟା ଆଗକୁ ଆହୁରି ଭୟଙ୍କର ରୂପ ନେଇପାରେ। ତେଣୁ ଜିଲ୍ଲା ପ୍ରଶାସନ କୌଣସି ବିଳମ୍ବ ନକରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବା ଆବଶ୍ୟକ। ଏହି ଚିଠିର ନକଲ ଆର.ଡି.ସି (ଦକ୍ଷିଣାଞ୍ଚଳ), ଛତ୍ରପୁର ଉପଖଣ୍ଡପାଳ, ଗଞ୍ଜାମ ବି.ଡି.ଓ ଏବଂ ତହସିଲଦାରଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।


