ଭୁବନେଶ୍ଵର : ୧୦ ଦଫା ଦାବି ପୂରଣ ଦାବିରେ ସରକାରୀ ଡାକ୍ତରମାନେ ନିଜ ଆନ୍ଦୋଳନକୁ ଜାରି ରଖିଛନ୍ତି। ଡାକ୍ତରଙ୍କ ସୁରକ୍ଷା, କ୍ୟାଡର ପୁନର୍ଗଠନ, ଲେଭେଲ-୧୫ ପେ’ ସ୍କେଲ୍ ଉଚ୍ଛେଦ, ସ୍ୱଚ୍ଛ ବଦଳି ନୀତି, କେବିକେ ଏଗ୍ଜିଟ୍ ପଲିସି, ବୀମା ସୁବିଧା ଏବଂ ଦନ୍ତ ଡାକ୍ତରଙ୍କ ପାଇଁ ଇନ୍ସେଣ୍ଟିଭ୍ ସମେତ ମୋଟ ୧୦ଟି ଦାବିକୁ ନେଇ ସଂଘ ଅଡ଼ି ବସିଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ସାଢେ ୧୧ଟାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଡାକ୍ତର ସଂଘର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରୁ ଆନ୍ଦୋଳନର ସମାଧାନ ବାହାରିବ କି ନାହିଁ, ସେନେଇ ସମସ୍ତଙ୍କ ନଜର ରହିଛି।
ଏପଟେ ଗତ ଜାନୁଆରୀ ୬ରୁ ରାଜ୍ୟ ସରକାର ଅତ୍ୟାବଶ୍ୟକ ସେବା ରକ୍ଷଣ ଆଇନ (ଏସ୍ମା) ଲାଗୁ କରିଥିଲେ। ତେବେ ଏସ୍ମା ବଳବତ୍ତର ଥିବା ସତ୍ତ୍ୱେ ଡାକ୍ତରମାନେ ଆନ୍ଦୋଳନରୁ ଓହରି ନଥିବାରୁ ସ୍ୱାସ୍ଥ୍ୟସେବା ପରିଚାଳନା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପରିସ୍ଥିତିର ମୁକାବିଲା ପାଇଁ ସରକାର ଆୟୁଷ ଓ ଠିକା ଡାକ୍ତରଙ୍କୁ ନିୟୋଜିତ କରିଥିଲେ ମଧ୍ୟ ଅନେକ ସ୍ଥାନରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି। ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


