କଣ୍ଟାମାଳ: ଲଗାଣ ବର୍ଷାର ପ୍ରଭାବରେ ଧୋଇଯାଇଛି ନିର୍ମାଣାଧୀନ କୁଲିଆପାଲି ବ୍ରିଜ୍ର ଡାଇଭର୍ସନ ରାସ୍ତା। ପାହାଡ଼ି ନାଳରେ ବର୍ଷାଜଳର ପ୍ରବଳ ସ୍ରୋତ ଯୋଗୁଁ ଡାଇଭର୍ସନ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ ସମ୍ପୂର୍ଣ୍ଣ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। କଣ୍ଟାମାଳରୁ ଶଗଡ଼ା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ସୂଚନା ଅନୁଯାୟୀ, କୁଲିଆପାଲି ଗ୍ରାମ ନିକଟରେ ନିର୍ମାଣାଧୀନ ବ୍ରିଜ୍ ପାଇଁ ପ୍ରସ୍ତୁତ ହୋଇଥିବା ବିକଳ୍ପ ରାସ୍ତା ପ୍ରବଳ ବର୍ଷାରେ ସମ୍ପୂର୍ଣ୍ଣ ଧୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ଦୀର୍ଘ ସମୟ ଧରି ହଇରାଣ ହେଉଛନ୍ତି।
ଏହି ପରିସ୍ଥିତିରେ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଥିବାରୁ ଦୈନନ୍ଦିନ ଯାତାୟାତ ବ୍ୟବସ୍ଥା ବ୍ୟାହତ ହୋଇଛି।
ବାରମ୍ବାର ଏଭଳି ସମସ୍ୟା ଉପୁଜୁଥିବାରୁ ସ୍ଥାନୀୟ ଲୋକମାନେ ନିର୍ମାଣାଧୀନ ବ୍ରିଜ୍ କାମକୁ ଶୀଘ୍ର ସମ୍ପୂର୍ଣ୍ଣ କରି ସ୍ଥାୟୀ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରିଛନ୍ତି।


