କଟକ: ମହାନଦୀରେ ପୁଣି ଘଟିଛି ଏକ ଦୁଃଖଦ ଅଘଟଣ। କଟକର ନରାଜ ପୁରୁଣା ବନ୍ଧ ନିକଟରେ ସେଲଫି ନେଉଥିବା ବେଳେ ୩ ଜଣ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ଯୁବକଙ୍କ ପରିଚୟ କଟକ ମାଛୁଆ ବଜାର ଅଞ୍ଚଳର ଆକାଶ ବେହେରା (୨୩) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, କଟକ ମାଛୁଆ ବଜାର ଅଞ୍ଚଳର ୩ ଜଣ ସାଙ୍ଗ ରବିବାର ସନ୍ଧ୍ୟାରେ ନରାଜ ପୁରୁଣା ବନ୍ଧ ନିକଟକୁ ବୁଲିବାକୁ ଯାଇଥିଲେ। ସେଠାରେ ମହାନଦୀ କୂଳରେ ସେଲଫି ନେଉଥିବା ସମୟରେ ଅସାବଧାନତାବଶତଃ ସେମାନେ ପାଣିରେ ଖସିପଡ଼ିଥିଲେ। ମୁହୂର୍ତ୍ତକ ମଧ୍ୟରେ ନଦୀର ସ୍ରୋତ ସେମାନଙ୍କୁ ଭାସାଇ ନେଇଥିଲା।
ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଓଡ୍ରାଫ୍ ଟିମ୍କୁ ସୂଚନା ଦେଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ତେବେ ଆକାଶ ବେହେରାଙ୍କର କୌଣସି ସନ୍ଧାନ ମିଳିନାହିଁ। ତାଙ୍କୁ ଠାବ କରିବା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ସନ୍ଧ୍ୟା ହୋଇଯାଇଥିବାରୁ ଏବଂ ଆଲୋକର ଅଭାବ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସୂଚନା ମିଳିଛି। ଘଟଣା ପରେ ନରାଜ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ନିଖୋଜ ଯୁବକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପରିବାର ଓ ସ୍ଥାନୀୟ ଲୋକେ ପ୍ରାର୍ଥନା କରୁଛନ୍ତି।


