ଭୁବନେଶ୍ଵର: ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏବେ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସମସ୍ତ ଆର୍ଟିଓ, ଏଆର୍ଟିଓ ଓ ଏନ୍ଫୋର୍ସମେଣ୍ଟ ଅଧିକାରୀଙ୍କୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି।
ନୂଆ ନିର୍ଦ୍ଦେଶ ଅନୁଯାୟୀ, ଫିଟ୍ନେସ୍ ସର୍ଟିଫିକେଟ୍, ପରମିଟ୍ କିମ୍ବା ରେଜିଷ୍ଟ୍ରେସନ୍ (ପଞ୍ଜୀକରଣ) ବିନା ଚଳାଚଳ କରୁଥିବା ଗାଡ଼ିକୁ କେବଳ ଜରିମାନା କରାଯିବ ନାହିଁ, ବରଂ ଜବତ ମଧ୍ୟ କରାଯିବ। ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀ ଓ ସଡ଼କ ସୁରକ୍ଷା ନିୟମକୁ ଅବହେଳା କରୁଥିବା ଯାନବାହନ ବିରୋଧରେ ମୋଟର ଯାନ ଆଇନର ଧାରା ୨୦୭ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
STA ସ୍ପଷ୍ଟ କରିଛି ଯେ, କୌଣସି ଗାଡ଼ିକୁ ଜବତ କରାଗଲା କିମ୍ବା ଜବତ କରାଗଲା ନାହିଁ—ଉଭୟ କ୍ଷେତ୍ରରେ ଏନ୍ଫୋର୍ସମେଣ୍ଟ ଅଧିକାରୀଙ୍କୁ ନିଜ କାର୍ଯ୍ୟର ଉଚିତ କାରଣ ଦର୍ଶାଇବାକୁ ପଡ଼ିବ।
ଯଦି ଗାଡ଼ି ମାଲିକ ପରବର୍ତ୍ତୀ ସମୟରେ ସମସ୍ତ ବୈଧ କାଗଜପତ୍ର ଉପସ୍ଥାପନ କରିପାରିବେ, ତେବେ ନିୟମ ଅନୁଯାୟୀ ଗାଡ଼ିକୁ ମୁକ୍ତ କରାଯିବ।
ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପୁଲିସ ପ୍ରଶାସନ ସହ ସମନ୍ୱୟ ରଖାଯିବ। ସେହିପରି ବାହାନ ପୋର୍ଟାଲ୍ ଓ ଇ-ଚାଲାଣ ଡ୍ୟାସ୍ବୋର୍ଡ ମାଧ୍ୟମରେ ଆଲର୍ଟ ବ୍ୟବସ୍ଥାକୁ ମଧ୍ୟ ସକ୍ରିୟ କରାଯାଉଛି, ଯାହା ଦ୍ୱାରା ନିୟମ ଉଲ୍ଲଂଘନକାରୀ ଗାଡ଼ିକୁ ସହଜରେ ଚିହ୍ନଟ କରାଯିବ।


