ଭୁବନେଶ୍ଵର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୁଇ ଦିନିଆ କୋଲକାତା ଗସ୍ତ କରିଛନ୍ତି। ବୁଧବାର ଅପରାହ୍ନରେ କୋଲକାତାସ୍ଥିତ ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଶୋକ କୀର୍ତ୍ତନିଆଙ୍କ ସହ ସହ ବିଭିନ୍ନ ପ୍ରସଙ୍ଗରେ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମନ୍ୱୟ ରକ୍ଷାକରି ଦୁଇ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ। ଆଳୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଏବଂ ଏ ଦିଗରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ନେଇ ମନ୍ତ୍ରୀ ଶ୍ରୀ କୀର୍ତ୍ତନିଆ ପ୍ରତିଶୃତି ଦେଇଥିଲେ। ଏଥିନିମନ୍ତେ ସମସ୍ତ ସହଯୋଗ ଜାରି ରହିବ ବୋଲି ଆଲୋଚନା ବେଳେ ସେ କହିଥିଲେ। ପୂର୍ବ ସରକାର ଖାଦ୍ୟ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଓଡିଶା ପ୍ରତି ଯେଉଁ ବୈମାତୃକ ମନୋଭାବ ପୋଷଣ କରିଥିଲେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ସେ କହିଥିଲେ।
ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଦିଗରେ ରାଜ୍ୟ ସରକାର କାର୍ଯ୍ୟକରୁଥିବା ନେଇ ଓଡିଶା ସରକାରଙ୍କୁ ପଶ୍ଚିମବଙ୍ଗ ମନ୍ତ୍ରୀ ଭୂୟଶୀ ପ୍ରଶଂସା କରିଛନ୍ତି। ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ସରକାର ଦୁଇ ରାଜ୍ୟର ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟକରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେଉଥିବା ନେଇ ଦୁଇ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ।


