Vice President in Odisha: ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍। ସେ ସ୍ବତନ୍ତ୍ର ବିମାନରେ ନିର୍ଦ୍ଧାରିତ ସମୟରେ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମେୟର ପ୍ରମୁଖ ସ୍ବାଗତ କରିଥିଲେ। ଏହାପରେ କଡା ସୁରକ୍ଷା ମଧ୍ୟରେ ଉପରାଷ୍ଟ୍ରପତି ଓୟୁଏଟି କୃଷି ଶିକ୍ଷା ସଦନକୁ ଯାଇଛନ୍ତି। ସେଠାରେ ସେ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବା ସହ “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ କରିବେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ, ଓଡ଼ିଶାର ମତ୍ସ୍ୟ ଓ ପ୍ରାଣିସମ୍ପଦ ଏବଂ ଏମ୍ଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ସମେତ ପ୍ରାୟ ୧,୦୦୦ ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀ, ମତ୍ସ୍ୟ ଉଦ୍ୟୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ସହ ଓଡ଼ିଶା ସରକାର, ସମ୍ପୃକ୍ତ ମନ୍ତ୍ରାଳୟ ଏବଂ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ଏହାପରେ ଉପରାଷ୍ଟ୍ରପତି ନାଇଜର ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।


