ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣସ୍ଥିତ ମାର୍ଭେଲ ଷ୍ଟାଡିୟମରେ ଭାରତୀୟ ସମୁଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏକ ସ୍ୱତନ୍ତ୍ର ସଦିଚ୍ଛା ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନି ଆଲବାନିଜ୍ ମଧ୍ୟ ଏହି ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟଙ୍କ ପକ୍ଷରୁ ମିଳିଥିବା ସୌଜନ୍ୟମୂଳକ ଭବ୍ୟ ସ୍ୱାଗତ ପାଇଁ କୃତଜ୍ଞତା ଜଣାଇଥିଲେ। ସେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଉପସ୍ଥିତି ଏବଂ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ, ବିଶେଷକରି ପ୍ରବାସୀ ଭାରତୀୟଙ୍କ କଲ୍ୟାଣ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ପାଇଁ ମଧ୍ୟ କୃତଜ୍ଞତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଗତ ଦଶନ୍ଧି ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତାରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଦୁଇ ଦେଶର ଅର୍ଥନୀତିର ପରସ୍ପର ପରିପୂରକତା ଭାରତ ଓ ଅଷ୍ଟ୍ରେଲିଆକୁ ଏକ ସୁରକ୍ଷିତ, ସମୃଦ୍ଧ ଓ ସ୍ଥିର ସହଭାଗୀତା ଗଠନ କରିବାରେ ସ୍ୱାଭାବିକ ଭାଗୀଦାରରେ ପରିଣତ କରିଛି।
ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ସମୁଦାୟଙ୍କ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦୁଇ ଦେଶ ମଧ୍ୟରେ ଏକ ‘ଜୀବନ୍ତ ସେତୁ’ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଅଷ୍ଟ୍ରେଲିଆର ସାମାଜିକ ଚଳଣୀରେ ସକ୍ରିୟ ଭୂମିକା ନିର୍ବାହ କରୁଥିବା ସତ୍ତ୍ୱେ ଭାରତୀୟ ସମୁଦାୟ ନିଜର ସାଂସ୍କୃତିକ ପରମ୍ପରାକୁ ଅକ୍ଷୁଣ୍ଣ ରଖିଛନ୍ତି ଏବଂ ନିଜର ରଙ୍ଗୀନ ପରମ୍ପରା, ଆତ୍ମୀୟତା ଓ ଜୀବନ୍ତ ସଂସ୍କୃତିକୁ ସ୍ଥାନୀୟ ଲୋକଙ୍କ ସହ ବାଣ୍ଟୁଛନ୍ତି। ଅଷ୍ଟ୍ରେଲିଆରେ ବହୁ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଏବଂ ଭାରତରେ ଅଧିକ ସଂଖ୍ୟକ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସେମାନଙ୍କ କ୍ୟାମ୍ପସ୍ ସ୍ଥାପନ କରୁଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ହେଉଛି ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟତମ ଦୃଢ଼ ସ୍ତମ୍ଭ।
ପ୍ରଧାନମନ୍ତ୍ରୀ ଭାରତରେ ନିରନ୍ତର ଉଚ୍ଚ ଅଭିବୃଦ୍ଧି, ନୀତିଗତ ସଂସ୍କାର, ଡିଜିଟାଲ ବିପ୍ଳବ ଏବଂ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ବିକାଶ ଆଧାରରେ ହେଉଥିବା ଦ୍ରୁତ ପ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, ସ୍ମାର୍ଟଫୋନ୍ ଉତ୍ପାଦନ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଭାରତ ନୂତନ ସଫଳତା ହାସଲ କରୁଛି। ସେ ଆହୁରି କହିଥିଲେ ଯେ, ଭାରତର ଗଣତାନ୍ତ୍ରିକ ଶକ୍ତି, ପ୍ରତିଭା, ପ୍ରଯୁକ୍ତି ଓ ନବସୃଜନ କ୍ଷମତାର ସମନ୍ୱୟ ବିଶ୍ୱର ସହଯୋଗୀ ଦେଶମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଭାରତର ଦୃଷ୍ଟିକୋଣ କେବଳ ନିଜର ପ୍ରଗତି ଉପରେ କେନ୍ଦ୍ରିତ ନୁହେଁ, ବରଂ ନିଜର ବନ୍ଧୁ ଓ ସହଯୋଗୀମାନଙ୍କ ସହ ହାତ ମିଳାଇ ଆଗକୁ ବଢ଼ିବା। ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ଲକ୍ଷ୍ୟ ହାସଲ ପାଇଁ ନିଜର ଚିନ୍ତାଧାରା ଓ ବିଶେଷଜ୍ଞତା ସହ ଅବଦାନ ରଖିବାକୁ ଆହ୍ୱାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଜୀବୀ, ଉଦ୍ୟୋଗୀ, ଗବେଷକ, ସମ୍ପ୍ରଦାୟ ନେତା ଏବଂ ବିଭିନ୍ନ ସାଂସ୍କୃତିକ ସଂଗଠନର ପ୍ରତିନିଧିଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରବାସୀ ଭାରତୀୟମାନେ ଉପସ୍ଥିତ ଥିଲେ। ଏହି ସମାବେଶ ଭାରତ-ଅଷ୍ଟ୍ରେଲିଆ ପାରସ୍ପରିକ ଜନ-ସମ୍ପର୍କ ସଂଯୋଗର ଗଭୀରତାକୁ ପ୍ରତିଫଳିତ କରିଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆରେ ପ୍ରାୟ ୧୦ ଲକ୍ଷ ଭାରତୀୟ ବଂଶୋଦ୍ଭବ ବସବାସ କରୁଛନ୍ତି।


