ନୂଆଦିଲ୍ଲୀ: NEET UG 2026 ପରୀକ୍ଷାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। ଛଅ ଜଣ ପ୍ରାର୍ଥୀ ସେମାନଙ୍କ ମାର୍କ ସିଟ୍ରେ ଅନିୟମିତତା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଯେ, ପରୀକ୍ଷା ସମୟରେ OMR ସିଟ୍ରେ ସେମାନେ ଯେଉଁ ଉତ୍ତର ଲେଖିଥିଲେ ତାହା NTA ଦ୍ୱାରା ଜାରି କରାଯାଇଥିବା ସ୍କାନ୍ କପି ସହିତ ମେଳ ଖାଉନାହିଁ। କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସେମାନେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ଆଜି ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ଏହି ମାମଲା ଉପସ୍ଥାପିତ ହୋଇଥିଲା। ଶୁଣାଣି ସମୟରେ, କୋର୍ଟ ମାମଲା ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ।
ପରୀକ୍ଷାର୍ଥୀଙ୍କ ଅଭିଯୋଗ କ’ଣ?
ଆବେଦନ ଦାଖଲ କରିଥିବା ଛଅ ଜଣ ପରୀକ୍ଷାର୍ଥୀ ଦାବି କରିଛନ୍ତି ଯେ, ସେମାନେ NEET UG 2026 ରେ 600 ରୁ 650 ରୁ ଅଧିକ ନମ୍ବର ପାଇଛନ୍ତି। ତଥାପି, NTA ଦ୍ୱାରା ଅପଲୋଡ୍ କରାଯାଇଥିବା OMR ସିଟ୍ର ସ୍କାନ୍ କପିଗୁଡ଼ିକ ପରୀକ୍ଷା ସମୟରେ ସେମାନେ ଲେଖିଥିବା ଉତ୍ତର ସହ ମେଳ ଖାଉନାହିଁ। ସେମାନେ କହିଛନ୍ତି ଯେ, ଏହି ତ୍ରୁଟି ସିଧାସଳଖ ସେମାନଙ୍କ ଅନ୍ତିମ ସ୍କୋର ଏବଂ ମେଡିକାଲ୍ କଲେଜରେ ପ୍ରବେଶ ସମ୍ଭାବନାକୁ ପ୍ରଭାବିତ କରିପାରେ।
ପରୀକ୍ଷାର୍ଥୀମାନଙ୍କ ଓକିଲ ସୁପ୍ରିମକୋର୍ଟକୁ ଜଣାଇଥିଲେ ଯେ, ପ୍ରାର୍ଥୀମାନେ ଏହି ବିଷୟରେ NTA କୁ ଏକ ଇମେଲ୍ ପଠାଇଥିଲେ ଏବଂ ଏଜେନ୍ସିର କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲେ, କିନ୍ତୁ କୌଣସି ସମାଧାନ ପାଇନଥିଲେ। ସେମାନେ କହିଛନ୍ତି ଯେ, ଅଭିଯୋଗ ସତ୍ତ୍ୱେ ସେମାନଙ୍କର ସମସ୍ୟା ସମାଧାନ ହୋଇନାହିଁ, ଯାହା ସେମାନଙ୍କୁ କୋର୍ଟକୁ ଯିବାକୁ ବାଧ୍ୟ କରିଥିଲା।
ସୁପ୍ରିମ କୋର୍ଟ କ’ଣ କହିଥିଲେ?
ଶୁଣାଣି ସମୟରେ ପରୀକ୍ଷାର୍ଥୀମାନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କୋର୍ଟକୁ ମାମଲାର ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, NEET UG କାଉନସିଲିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯଦି ଏହି ମାମଲାର ସମାଧାନ ସମୟ ମଧ୍ୟରେ ନହୁଏ, ତେବେ ପରୀକ୍ଷାର୍ଥୀମାନଙ୍କ ପ୍ରବେଶ ପ୍ରଭାବିତ ହୋଇପାରେ। ପକ୍ଷମାନଙ୍କ ଯୁକ୍ତି ଶୁଣିବା ପରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟ ମାଲ୍ୟା ବାଗଚୀ ଏବଂ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ।


