ଭୁବନେଶ୍ୱର: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଣିକି ଟୋଲଗେଟ୍ଗୁଡ଼ିକରେ ଇ-ଡିଟେକ୍ସନ ପଦ୍ଧତି ମାଧ୍ୟମରେ ଗାଡ଼ିଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରାଯିବ। ଏହି ବ୍ୟବସ୍ଥାରେ ଗାଡ଼ିର ବୀମା, ଫିଟନେସ ଓ ପ୍ରଦୂଷଣ ପ୍ରମାଣପତ୍ର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ ହେବ। ବୈଧ କାଗଜପତ୍ର ନଥିଲେ ତୁରନ୍ତ ଇ-ଚାଲାଣ ଜାରି କରାଯିବ।
ଅଭ୍ୟାସଗତ ଭାବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ। ଆବଶ୍ୟକସ୍ଥଳେ ଗାଡ଼ିର ପଞ୍ଜୀକରଣ ରଦ୍ଦ କରିବା ସହ ଗାଡ଼ି ଜବତ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ। ସୂଚନା ଅନୁସାରେ, ରାଜ୍ୟରେ ୬୫,୭୩,୬୩୩ଟି ଗାଡ଼ିର ବୀମା ବୈଧ ନଥିବା ଜଣାପଡ଼ିଛି। ଏହାକୁ ନେଇ ପରିବହନ ବିଭାଗ ପକ୍ଷରୁ ନିୟମ ଉଲ୍ଲଂଘନକାରୀ ଗାଡ଼ି ଉପରେ କଡ଼ା ନଜର ରଖାଯାଉଛି।


