କଲମ୍ବିଆ: କଲମ୍ବିଆରେ ଭୟଙ୍କର ୭.୪ ତୀବ୍ରତାର ଭୂମିକମ୍ପ ବଡ଼ ଧରଣର କ୍ଷୟକ୍ଷତି ଘଟାଇଛି। ଭୂମିକମ୍ପରେ ଏପର୍ଯ୍ୟନ୍ତ ଅତି କମରେ ୭୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ପଶ୍ଚିମ କଲମ୍ବିଆର ସାନ୍ ଜୋସେ ଡେଲ୍ ପାଲମାର ନିକଟରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଭୂମିକମ୍ପର ଝଟକା ରାଜଧାନୀ ବୋଗୋଟା ସମେତ ଅନେକ ଅଞ୍ଚଳରେ ଅନୁଭୂତ ହେବା ସହ ପଡ଼ୋଶୀ ଦେଶ ଇକ୍ୱେଡରରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା।
ଭୂମିକମ୍ପ ପରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ କିଛି ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିବା ଖବର ମିଳିଛି। ସବୁଠାରୁ ଅଧିକ ପ୍ରଭାବିତ ରିସାରାଲଡା ପ୍ରଦେଶରେ ୪୨ ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି। ଭାଲେ ଡେଲ୍ କାଉକାରେ ୨୭, ଚୋକୋରେ ୪, ମାନିଜାଲେସରେ ୩ ଏବଂ ଆଣ୍ଟିଓକିଆରେ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିବା ପାଇଁ ସେନା ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଧ୍ୱଂସାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜାଯାଉଛି। ଭୂମିକମ୍ପ ପରେ ଆଫ୍ଟରଶକ୍ର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି। କଲମ୍ବିଆରେ ଏହି ଭୂମିକମ୍ପକୁ ନେଇ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଉପରେ ପ୍ରଶାସନର ଫୋକସ୍ ରହିଛି।


