ବାଲେଶ୍ୱର: ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ଭୋଗରାଇ-କମର୍ଦ୍ଦା ଅଞ୍ଚଳରୁ ଧାନ ତଳି ରୁଆ କାମ ସାରି ପ୍ରାୟ ୬୦ ଜଣ ଶ୍ରମିକ ଏକ ପିକ୍ଅପ୍ ଭ୍ୟାନ୍ (ଓଡି-୦୧-୮୦୬୭)ରେ ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତା ଦେଇ ଫେରୁଥିଲେ। ତାଳବଣିଆ ଛକ ନିକଟରେ ଆଗରେ ଯାଉଥିବା ଏକ ଅଟୋକୁ ଓଭରଟେକ୍ କରିବା ସମୟରେ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଭ୍ୟାନ୍ରେ ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଜିକେଭଟ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।
ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନ୍କୁ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଶ୍ରମିକଙ୍କ ପରିଚୟ ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।


