ସୁନ୍ଦରଗଡ଼: ୨୦୧୯ ମସିହାର ବହୁଚର୍ଚ୍ଚିତ ହତ୍ୟା ମାମଲାରେ ସୁନ୍ଦରଗଡ଼ ଅତିରିକ୍ତ ଦୌରା ଜଜ୍ଙ୍କ କୋର୍ଟ ରାୟ ଶୁଣାଇଛନ୍ତି। ରାଜଗାଙ୍ଗପୁର ଥାନା ଛତାମର ଗାଁର ମାଲାକି ବୁଡ଼ (୬୫)ଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅତିରିକ୍ତ ୬ ମାସ ଜେଲ୍ ଭୋଗିବାକୁ ପଡ଼ିବ।
ମାମଲାର ବିବରଣୀ ଅନୁଯାୟୀ, ୨୦୧୯ ନଭେମ୍ବର ୨୫ରେ ଫୁଲିତମାନି କେରକେଟା (୫୨) ଗାଁ ନିକଟ ନିଜ ଜମିରେ ଧାନ କାଟୁଥିଲେ। ଏହି ସମୟରେ ତାଙ୍କୁ କେହି ପଥର ମାରିଥିଲା। ଘଟଣାକୁ ନେଇ ସେ ପାଖ ଜମିରେ କାମ କରୁଥିବା ପଡ଼ୋଶୀ ମାଆ-ଝିଅଙ୍କୁ ଡାକି ଆକ୍ରମଣକାରୀଙ୍କୁ ଖୋଜିଥିଲେ।
ଅଭିଯୋଗ ଅନୁସାରେ, ମାଲାକି ଏକ ବୁଦା ଭିତରେ ଲୁଚି ବାଟୁଳି (ଗୁଲେଶ)ରେ ଫୁଲିତମାନିଙ୍କୁ ଆକ୍ରମଣ କରୁଥିଲେ। ଏହା ଦେଖି ଫୁଲିତମାନି ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ପରେ ପଡ଼ୋଶୀ ମାଆ-ଝିଅ ସେଠାରୁ ଚାଲିଯାଇଥିଲେ।
ପରଦିନ ଫୁଲିତମାନିଙ୍କ ସ୍ୱାମୀ ହିଲାରୁସ କେରକେଟା ଘରକୁ ଫେରି ସ୍ତ୍ରୀଙ୍କୁ ନପାଇ ଖୋଜାଖୋଜି କରିଥିଲେ। ଶେଷରେ ଖେତ ନିକଟରେ ତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ସେ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାଲାକିଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ଉପସ୍ଥାପିତ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ କୋର୍ଟ ମାଲାକିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏଥିସହ ମୃତା ଫୁଲିତମାନିଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


