ବେତନଟୀ: ଲଗାଣ ବର୍ଷାରେ ବେତନଟୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଲଗାତାର ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିବା ସହ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟାରେ ଅଞ୍ଚଳରେ ୧୭୦ ମିମି ବର୍ଷା ରେକର୍ଡ ହୋଇଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଆହୁରି ବଢ଼ିଛି।
ନାଖରା ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଗଣ୍ଡବାଙ୍କ, ପ୍ରତିମାଦେଇପୁର, ପାଟଳିପୁରା, ଦାରିହା, କାଠପାଳ, ନାଖରା, ସିଙ୍ଗଲାମୁଣ୍ଡଳି ଓ ଡେଁଫଉଦା ଭଳି ତଳିଆ ଅଞ୍ଚଳରେ ପାଣି ପଶିଛି। ବହୁ ଘର ଜଳମଗ୍ନ ହୋଇଥିବାବେଳେ ଅନେକ ପରିବାର ଜଳବନ୍ଦୀ ହୋଇପଡ଼ିଛନ୍ତି। ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଧାୟକ ସନାତନ ବିଜୁଳି, ଜିଲ୍ଲାପାଳ ହେମକାନ୍ତ ସଏ, ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲି, ଦୁଇ ଏଡିଏମ୍, ବେତନଟୀ ବିଡିଓ ମୁନା ସେଠୀ, ତହସିଲଦାର ଚନ୍ଦ୍ରଜିତ ବେହେରାଙ୍କ ସମେତ ପ୍ରଶାସନ ଓ ପୁଲିସ ଅଧିକାରୀମାନେ ନାଖରା ସେତୁ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ଆବଶ୍ୟକସ୍ଥଳେ ତୁରନ୍ତ ସ୍ଥାନାନ୍ତର କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି।
ବନ୍ୟା ପ୍ରଭାବିତ ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କୁ ବେଲାଣପୁରା ବାତ୍ୟା ଆଶ୍ରୟସ୍ଥଳୀ ସମେତ ବିଭିନ୍ନ ବିଦ୍ୟାଳୟ ଗୃହକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ବୁଢ଼ାବଳଙ୍ଗର ଜଳସ୍ତର ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି। ଆଗକୁ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ଥିବାରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି।


