ନୂଆଦିଲ୍ଲୀ: କରାଚୀ ହସ୍ପିଟାଲରେ ପିଲାମାନଙ୍କ ମଧ୍ୟରେ HIV ସଂକ୍ରମଣ ବ୍ୟାପିବାରେ ଆତଙ୍କ ଖେଳିଯାଇଛି। ଏକ ପାକିସ୍ତାନୀ କୋର୍ଟ ସ୍ୱାଧୀନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ୬ ଶିଶୁଙ୍କ ମୃତ୍ୟୁ ହୋଇଛି ଏବଂ ୯୪ ସଂକ୍ରମିତ ହୋଇଛନ୍ତି। କୋର୍ଟ ପ୍ରଭାବିତ ପିଲାମାନଙ୍କ ପାଇଁ ଦୀର୍ଘକାଳୀନ ଚିକିତ୍ସା ଏବଂ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ମାମଲା ପ୍ରଥମେ ନଭେମ୍ବର ୨୦୨୫ ରେ ଚିହ୍ନଟ ହୋଇଥିଲା। ଏହା ପରେ, ସିନ୍ଧ ସ୍ୱାସ୍ଥ୍ୟ ବିଭାଗ କରାଚୀର ଶିଳ୍ପ କ୍ଷେତ୍ର ଏବଂ ଆଖପାଖ ଅଞ୍ଚଳରେ ଅବସ୍ଥିତ କୁଲସୁମ ବାଇ ବାଲିକା ହସ୍ପିଟାଲରେ HIV ପରୀକ୍ଷା ଆରମ୍ଭ କରିଥିଲା। ହସ୍ପିଟାଲଟି ସିନ୍ଧ କର୍ମଚାରୀ ସାମାଜିକ ସୁରକ୍ଷା ପ୍ରତିଷ୍ଠାନ (SESSI) ଅଧୀନରେ ପରିଚାଳିତ। ତଦନ୍ତରେ ଛଅ ଜଣଙ୍କର ମୃତ୍ୟୁ ଏବଂ ୯୪ ଜଣ ଶିଶୁ HIV ପଜିଟିଭ୍ ଥିବା ଜଣାପଡ଼ିଛି। ହସ୍ପିଟାଲ ନିକଟବର୍ତ୍ତୀ ପ୍ରାୟ ୧୨୦ ଜଣ ଲୋକ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି।
ଆଇନଜୀବୀ ତାରିକ ମନସୁର ମେ ମାସରେ ସିନ୍ଧ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ସେ ଦାବି କରିଛନ୍ତି ଯେ, ସଂକ୍ରମିତ ପିଲାଙ୍କ ସଂଖ୍ୟା ପ୍ରାୟ ୨୦୦ ହୋଇପାରେ। ତଥାପି, ସଂକ୍ରମିତ ଲୋକଙ୍କ ସଂଖ୍ୟା ଏବଂ ସଂକ୍ରମଣ ବ୍ୟାପିବାର କାରଣ ସମ୍ପର୍କରେ ସମ୍ପୂର୍ଣ୍ଣ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।
ହାଇକୋର୍ଟ ସ୍ୱାଧୀନ ତଦନ୍ତ ନିର୍ଦ୍ଦେଶ:
ଗୁରୁବାର ମାମଲାର ଶୁଣାଣି କରି ସିନ୍ଧ ହାଇକୋର୍ଟର ଏକ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ପ୍ରଦେଶ ମୁଖ୍ୟ ସଚିବଙ୍କୁ ସମଗ୍ର ମାମଲାର ଏକ ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ବିଭାଗ ଦ୍ୱାରା କରାଯାଇଥିବା ତଦନ୍ତ ଏବଂ ଦାଖଲ ହୋଇଥିବା ରିପୋର୍ଟଗୁଡ଼ିକ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସ୍ପଷ୍ଟ ଉତ୍ତର ପ୍ରଦାନ କରୁନାହିଁ। ଏଥିରେ ସଂକ୍ରମିତ ଲୋକଙ୍କ ସଠିକ୍ ସଂଖ୍ୟା, ବ୍ୟାପିବାର କାରଣ, ହସ୍ପିଟାଲରେ ସଂକ୍ରମଣ ନିବାରଣ ନିୟମାବଳୀର ପାଳନ ଏବଂ ଡିସପୋଜେବଲ୍ ସିରିଞ୍ଜ ସମ୍ପର୍କରେ ଆଇନର ପାଳନ ଅନ୍ତର୍ଭୁକ୍ତ।


