ନୂଆଦିଲ୍ଲୀ: ବିଜେପି ନେତା ଶାହଜାଦ ପୁନାୱାଲା ପୁଣି ଥରେ ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ପୁନାୱାଲା ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ଜେପି ନଡ୍ଡା ଏବଂ ସଂଗଠନ ମହାସଚିବ ବିଏଲ ସନ୍ତୋଷଙ୍କ ସମେତ ବରିଷ୍ଠ ନେତାଙ୍କ ପ୍ରତି ସେମାନଙ୍କର ମାର୍ଗଦର୍ଶନ ଏବଂ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ତାଙ୍କର ଭବିଷ୍ୟତ ଯୋଜନା ମଧ୍ୟ ପ୍ରକାଶ କରିଛନ୍ତି।
ଶାହଜାଦ ପୁନାୱାଲା କହିଛନ୍ତି ଯେ, ବିଜେପି ଏବଂ ସଂଘ ପରିବାର ଦ୍ୱାରା ତାଙ୍କୁ ପ୍ରଦାନ କରାଯାଇଥିବା ସୁଯୋଗ ଏବଂ ପ୍ଲାଟଫର୍ମ ପାଇଁ ସେ ସର୍ବଦା କୃତଜ୍ଞ ରହିବେ। ଶ୍ରୀ ପୁନାୱାଲା କହିଛନ୍ତି ଯେ, “ଯେପରି ମୁଁ ପୂର୍ବରୁ କହିସାରିଛି, ଜରୁରୀ ଆର୍ଥିକ ଏବଂ ବ୍ୟକ୍ତିଗତ ପରିସ୍ଥିତି ଯୋଗୁଁ, ମୁଁ ଘରୋଇ କ୍ଷେତ୍ରରେ ପ୍ରବେଶ କରିବି, କିନ୍ତୁ ମୁଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର କାର୍ଯ୍ୟକୁ ଯେଉଁଠାରେ ସମ୍ଭବ ଏବଂ ଯେକୌଣସି ରୂପରେ ସମର୍ଥନ କରିବି।” ଶ୍ରୀ ପୁନାୱାଲା କହିଛନ୍ତି ଯେ, “ମୁଁ ଦଳୀୟ ବ୍ୟବସ୍ଥା ଛାଡି ଯାଉଛି, କିନ୍ତୁ ବିଚାରଧାରା ଏବଂ ବ୍ୟକ୍ତି ନୁହେଁ।”
୧୯୮୭ ମସିହାରେ ପୁଣେରେ ଜନ୍ମଗ୍ରହଣ କରିଥିବା ଶହଜାଦ ପୁନାୱାଲା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ଓକିଲ ଏବଂ ସାମାଜିକ କର୍ମୀ ଥିଲେ। ତାଙ୍କ ଭାଇ ତହସିନ ପୁନାୱାଲା ଜଣେ ସାମାଜିକ କର୍ମୀ ଭାବରେ ମଧ୍ୟ ଜଣାଶୁଣା। ଦୁଇ ଭାଇ ପୂର୍ବରୁ କଂଗ୍ରେସ ଦଳରେ ଏକାଠି ଥିଲେ। ଶହଜାଦ ପୁନାୱାଲା କଂଗ୍ରେସ ଦଳରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ କଂଗ୍ରେସ ମିଡିଆ ସେଲରେ କାମ କରିଥିଲେ ଏବଂ ମହାରାଷ୍ଟ୍ର କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।
୨୦୧୭ ମସିହାରେ ଶହଜାଦ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ସମଗ୍ର ଇକୋସିଷ୍ଟମ କାମ କରୁଥିଲା ବୋଲି ଶହଜାଦ ଅଭିଯୋଗ କରିଥିଲେ। ଏହା ପରେ ଦଳ ସହିତ ବିବାଦ ଯୋଗୁଁ ତାଙ୍କୁ ଦଳ ଛାଡିବାକୁ ପଡିଲା। ଗୁଜୁରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ପୁନାୱାଲାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ପ୍ରଶଂସା କରିଥିଲେ। ଏହା ପରେ ସେ ଦଳରେ ଯୋଗ ଦେଇଥିଲେ ଏବଂ ତା’ପରେ ତାଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଥିଲା।
କଂଗ୍ରେସ ଦଳରୁ ବିଜେପିରେ ଯୋଗ ଦେବା ପରେ ପୁନାୱାଲା ଦଳର ଏକ ଦୃଢ଼ ଚେହେରା ହୋଇଗଲେ। ଗେରୁଆ ଦଳରେ ଜଣେ ମୁସଲିମ ମୁଖପାତ୍ର ରହିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା, ଯାହା ବିଜେପି ପାଇଁ ଲାଭଦାୟକ ପ୍ରମାଣିତ ହୋଇଥିଲା। ଏହି ସମୟ ମଧ୍ୟରେ ଶହଜାଦ ପୁନାୱାଲା ଖୋଲାଖୋଲି ଭାବରେ ୟୁସିସି, ଟ୍ରିପଲ ତଲାକ ଏବଂ ସିଏଏ ବିଲ୍ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ମତ ଉପସ୍ଥାପନ କରିଥିଲେ।


