ୱାଶିଂଟନ୍: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ଖସିଛି। ରଏଟର୍ସ/ଇପସୋସ୍ ସର୍ଭେ ଅନୁସାରେ, ମାତ୍ର ୩୩% ଆମେରିକୀୟ ଟ୍ରମ୍ପଙ୍କ କାର୍ଯ୍ୟକୁ ସମର୍ଥନ କରିଥିବା ବେଳେ ୬୪% ଏହାକୁ ନାପସନ୍ଦ କରିଛନ୍ତି। ଅଗଷ୍ଟ ଆରମ୍ଭରେ ଟ୍ରମ୍ପଙ୍କ ଅନୁମୋଦନ ହାର ୩୫% ଥିଲା।
ଟ୍ରମ୍ପ ପ୍ରଶାସନ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି ଇରାନ ସହ ଚାଲିଥିବା ସାମରିକ ସଂଘର୍ଷ। ସର୍ଭେରେ ମାତ୍ର ୨୦% ଆମେରିକୀୟ ଇରାନ ବିରୋଧରେ ଯୁଦ୍ଧକୁ ସଠିକ୍ ନିଷ୍ପତ୍ତି ବୋଲି କହିଛନ୍ତି। ଅପରପକ୍ଷେ, ୮୦% ଲୋକ ଆଶଙ୍କା କରୁଛନ୍ତି ଯେ ଇରାନରେ ଆମେରିକାର ସାମରିକ ସମ୍ପୃକ୍ତି ଦୀର୍ଘ ସମୟ ଧରି ଜାରି ରହିପାରେ। ମାତ୍ର ୧୬% ଲୋକ ଏହା କିଛି ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ଭାବୁଛନ୍ତି।
ଟ୍ରମ୍ପ ନିର୍ବାଚନ ପ୍ରଚାର ସମୟରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଓ ଦୀର୍ଘକାଳୀନ ଯୁଦ୍ଧରୁ ଆମେରିକାକୁ ଦୂରେ ରଖିବାର ପ୍ରତିଶ୍ରୁତି ଦେଇଥିଲେ। ଇରାନ ସହ ସଂଘର୍ଷ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ସେ କହିଥିଲେ। କିନ୍ତୁ ସଂଘର୍ଷ ଲମ୍ବିବା ସହ ତୈଳ ଯୋଗାଣ ଓ ଇନ୍ଧନ ମୂଲ୍ୟକୁ ନେଇ ଚିନ୍ତା ବଢ଼ିଛି। ଏହା ଆଗାମୀ ନଭେମ୍ବର ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପ ଓ ରିପବ୍ଲିକାନ୍ ପାର୍ଟି ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରେ।
ଅର୍ଥନୀତି ପରିଚାଳନାକୁ ନେଇ ମଧ୍ୟ ରିପବ୍ଲିକାନ୍ଙ୍କ ତୁଳନାରେ ଡେମୋକ୍ରାଟ୍ଙ୍କ ଉପରେ ଲୋକଙ୍କ ଭରସା ସାମାନ୍ୟ ଅଧିକ ରହିଛି। ୩୮% ଆମେରିକୀୟ ଅର୍ଥନୀତି ପରିଚାଳନା ପାଇଁ ଡେମୋକ୍ରାଟ୍ଙ୍କୁ ଭରସା କରୁଥିବା ବେଳେ ୩୫% ରିପବ୍ଲିକାନ୍ଙ୍କୁ ସମର୍ଥନ କରିଛନ୍ତି।
ଏହି ରଏଟର୍ସ/ଇପସୋସ୍ ଅନଲାଇନ୍ ସର୍ଭେରେ ୧,୧୬୬ ଜଣ ଆମେରିକୀୟ ବୟସ୍କଙ୍କ ମତାମତ ନିଆଯାଇଛି। ସର୍ଭେରେ ପ୍ରାୟ ୩ ପ୍ରତିଶତ ପଏଣ୍ଟର ତ୍ରୁଟି ସୀମା ରହିଛି।
ଏପଟେ ଇରାନ ଉପରେ ଚାପ ବଜାୟ ରଖିଛନ୍ତି ଟ୍ରମ୍ପ। ତେହରାନଠାରୁ ରିହାତି ଦାବି କରିବା ସହ ଚୁକ୍ତି ନହେଲେ ପୁଣି ସାମରିକ ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ହରମୁଜ୍ ପ୍ରଣାଳୀକୁ ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ମଧ୍ୟ ଉତ୍ତେଜନାକୁ ଆହୁରି ବଢ଼ାଇଛି। ଏଭଳି ସ୍ଥିତିରେ ଇରାନ ଯୁଦ୍ଧ, ଇନ୍ଧନ ମୂଲ୍ୟ ଓ ଅର୍ଥନୀତି ଟ୍ରମ୍ପଙ୍କ ଲୋକପ୍ରିୟତା ଉପରେ କେତେ ପ୍ରଭାବ ପକାଉଛି, ତାହା ଆଗାମୀ ଦିନରେ ଆମେରିକୀୟ ରାଜନୀତିର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପାରେ।


