ୱାଶିଂଟନ୍/ ନୂଆଦିଲ୍ଲୀ: ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି’ (ଡିଏଚ୍ଏସ୍) ଏଚ୍-୧ବି ଭିସା ଫି’ ବୃଦ୍ଧି କରି ୧୦୩,୨୬୫ ଡଲାର କରିବାକୁ ଯୋଜନା କରୁଛି। ସୋମବାର ଫେଡେରାଲ୍ ରେଜିଷ୍ଟରରେ ଏହି ସୂଚନା ପ୍ରକାଶ ପାଇଛି। ଟ୍ରମ୍ପ ପ୍ରଶାସନ ଏଚ୍-୧ବି ଏବଂ ଏଫ୍-୧ ଅପସନାଲ୍ ପ୍ରାକ୍ଟିକାଲ୍ ଟ୍ରେନିଂ (ଓପିଟି) ପ୍ରୋଗ୍ରାମକୁ ଲକ୍ଷ୍ୟ କରି ନୂଆ ଫି’ ଲାଗୁ କରିବାକୁ ଯୋଜନା କରୁଛି।
ବିଶେଷଜ୍ଞ ଏଜେନ୍ସି ‘ଫ୍ରାଗୋମେନ୍’ ଅନୁଯାୟୀ, ଯଦି ଏହି ପ୍ରସ୍ତାବିତ ନିୟମ ଲାଗୁ ହୁଏ, ତେବେ ବିଦେଶୀ ନାଗରିକ, ୟୁନିଭରସିଟିରୁ ଚାକିରି ଆଡ଼କୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ଏଚ୍-୧ବି କର୍ମଚାରୀଙ୍କୁ ପ୍ରାୟୋଜିତ କରୁଥିବା କମ୍ପାନୀଗୁଡ଼ିକ ପାଇଁ ଆମେରିକାରେ କାମ କରିବା ଅତ୍ୟନ୍ତ ବ୍ୟୟବହୁଳ ହୋଇପଡ଼ିବ। ଅର୍ଥାତ୍ ଆମେରିକାର ଏହି ନିଷ୍ପତ୍ତି ଭାରତୀୟଙ୍କ ପାଇଁ ସବୁଠାରୁ ବଡ଼ ଝଟ୍କା ସଦୃଶ ହେବାକୁ ଯାଉଛି। କାରଣ ସମସ୍ତ ଏଚ୍-୧ବି ଭିସା ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ୭୦%ରୁ ଅଧିକ ଭାରତୀୟ। ୨୦୨୪ରେ “ୟୁଏସ୍ ସିଟିଜେନସିପ୍ ଆଣ୍ଡ୍ ଇମିଗ୍ରେସନ୍ ସର୍ଭିସେସ୍’ (ୟୁଏସ୍ସିଆଇଏସ୍) ମୋଟ ୩,୯୯,୪୦୨ଟି ଏଚ୍ -୧ବି ଆବେଦନକୁ ମଞ୍ଜୁରୀ ଦେଇଥିଲା, ଯେଉଁଥିରେ ଭାରତୀୟଙ୍କ ଅଂଶ ୭୧% ଥିଲା।
ସୂଚନା ଅନୁଯାୟୀ, ଏହି ପ୍ରସ୍ତାବଗୁଡ଼ିକ ହ୍ୱାଇଟ୍ ହାଉସ୍ର “ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ବଜେଟ୍’ (ଓଏମ୍ବି) ନିକଟକୁ ଯାଇଛି। ପ୍ରକାଶ, ଅଗଷ୍ଟ ୨୦ରେ ଓପିଟି ଫି ସମ୍ବନ୍ଧୀୟ ନିୟମ ଓଏମ୍ବି ପାଖକୁ ସମୀକ୍ଷା ପାଇଁ ପଠାଯାଇଥିଲା। ଅନ୍ୟପକ୍ଷେ ଏଚ୍-୧ବି ପିଟିସନ୍ ଉପରେ ଫି’ ଲଗାଇବା ପ୍ରସ୍ତାବକୁ ଅଗଷ୍ଟ ୧୯ରେ ଓଏମ୍ବି ସମୀକ୍ଷା କରି ମଞ୍ଜୁରୀ ଦେଇସାରିଛି। ଅର୍ଥାତ୍ ଆମେରିକାର ହୋମଲ୍ୟାଣ୍ଡ୍ ସିକ୍ୟୁରିଟି ବିଭାଗ ଓଏମ୍ବି ଆବେଦନ ଉପରେ ୧ ଲକ୍ଷ ଡଲାରରୁ ଊର୍ଦ୍ଧ୍ୱ ଫି’ ଲଗାଇବାକୁ ପ୍ରସ୍ତାବ ଦେଇପାରେ। ତେବେ ଏହି ପ୍ରସ୍ତାବର ବିସ୍ତୃତ ବିବରଣୀ ଏବେବି ଗୋପନୀୟ ରହିଛି ଏବଂ ଆଗାମୀ ଦିନରେ ଏହାର ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି।
ଏତଦ୍ବ୍ୟତୀତ ଚଳିତ ମାସ ଆରମ୍ଭରେ ଓଏମ୍ବି ଚାକିରି ହରାଇଥିବା ଏଚ୍-୧ବି କର୍ମଚାରୀଙ୍କୁ ମିଳୁଥିବା ୬୦ ଦିନର “ଗ୍ରେସ୍ ପିରିୟଡ୍’ ବ୍ୟବସ୍ଥାକୁ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଥିଲା। ଏହି ନିୟମ ଲାଗୁ ହେଲେ, କର୍ମଚାରୀ ଓ ସେମାନଙ୍କ ପରିବାରକୁ ତୁରନ୍ତ ଆମେରିକା ଛାଡ଼ିବାକୁ ପଡ଼ିବ, ନଚେତ୍ ତାଙ୍କୁ ସ୍ଥିତି ବିରୋଧୀ ଭାବେ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଆମେରିକାର ଜନଗଣନା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଆମେରିକାରେ ୫୨ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବ ବାସ କରୁଛନ୍ତି।


