ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନଙ୍କ ୪ ଦଫା ଦାବିରେ ରାଜଧାନୀର ଗାନ୍ଧିମାର୍ଗରେ ଅହର୍ନିଶି ଗଣଧାରଣା ଦଶମ ଦିନରେ ପହଞ୍ଚିଛି। ବର୍ତ୍ତମାନର ଲୋକଙ୍କର ସରକାର ଆଉ କାଳବିଳମ୍ବ ନକରି ତୁରନ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କର ସମସ୍ୟାର ସମାଧାନ କରି ଧାରଣାରତ ଶିକ୍ଷକମାନଙ୍କୁ ବିଦ୍ୟାଳୟକୁ ଫେରିବାର ବାଟ ପରିଷ୍କାର କରନ୍ତୁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।
ପ୍ରକାଶଥାଉକି, ସମନ୍ୱୟ ସମିତିର ନେତୃତ୍ୱମାନେ ବାରମ୍ବାର ସରକାରଙ୍କ ସହିତ ପତ୍ର ମାଧ୍ୟମରେ ଓ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି ଓ ପ୍ରତିଶ୍ରୁତି ମଧ୍ୟ ପାଇଛନ୍ତି, କିନ୍ତୁ ସମସ୍ୟା ସମାଧାନର ସୂତ୍ର ଅଦ୍ୟାବଧି ସରକାର ବାହାର କରିପାରି ନାହାଁନ୍ତି । ଫଳରେ ଅନୁଦାନ ଓ ପେନ୍ସନରୁ ବଞ୍ଚିତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ବାଧ୍ୟହୋଇ ନିଜର ପିଲାଛୁଆ, ଘରଦ୍ୱାର ଓ ବିଦ୍ୟାଳୟ ଛାଡ଼ି ଆଜକୁ ଦଶଦିନ ଦଶରାତି ଧରି ଦିନରେ ପ୍ରଚଣ୍ଡ ଖରା, ଗୁଳୁଗୁଳି ଓ ବର୍ଷା ସହିତ ରାତିରେ ଓଦା ପିଚୁରେ ଖୋଲା ଆକାଶ ତଳେ ବର୍ଷାଘାତ ଖାଇ ନ୍ୟାୟ ପାଇଁ ଗାନ୍ଧିମାର୍ଗରେ ବସି ରହିଛନ୍ତି।
ଧାରଣାସ୍ଥଳରେ ପ୍ରଚଣ୍ଡ ଖରା ଯୋଗୁ ବି.କେ. ଏସ୍.ସି./ଏସ୍.ଟି. ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ପଡ଼ିଆ, ବସ୍ତା, ବାଲେଶ୍ୱରର ଶିକ୍ଷୟିତ୍ରୀ ମିନାକ୍ଷୀ ସାହୁ ଅସୁସ୍ଥ ହୋଇ ଚେତାଶୂନ୍ୟ ହେବା ଫଳରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍ଗୀନ ଅଛି। ଏ ଖବର ଗଣମାଧ୍ୟମରୁ ନିଶ୍ଚିତ ଭାବରେ ସରକାର ପାଇ ସାରିଥିବେ । ତଥାପି ନିଜକୁ ଲୋକପ୍ରିୟ ସରକାର ବୋଲାଉଥିବା ସରକାରୀ ଦଳ ଓ କଳର କୌଣସି ପ୍ରତିନିଧି ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ସ୍ଥଳକୁ ଆସି ନାହାଁନ୍ତି କିମ୍ବା ଡାକ୍ତରଖାନାକୁ ଯାଇ ଶିକ୍ଷୟିତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝି ନାହାନ୍ତି। ୨୦୨୪ ମସିହାରେ ପୂର୍ବ ସରକାର ସମୟରେ “ଅନୁଦାନ, ପେନସନ, ନିଯୁକ୍ତି ଓ ସରକାରୀକରଣ” ଏହି ଚାରୋଟି ଦାବି ପାଇଁ ହୋଇଥିବା ୩୯ ଦିନ ଆନ୍ଦୋଳନରେ ତତ୍କାଳୀନ ସରକାର ଗାନ୍ଧିମାର୍ଗରେ ଆନ୍ଦୋଳନରତ ଶିକ୍ଷକ ମାନଙ୍କର କ୍ରନ୍ଦନ ଧ୍ୱନିକୁ କର୍ଣ୍ଣପାତ ନକରି ନିଜର ଆତ୍ମବଡ଼ିମା ଦେଖାଇବାର ଫଳ ସାରା ଓଡ଼ିଶାର ଜନତା ଦେଖାଇ ସାରିଛନ୍ତି।
ସେ ସମୟରେ ବିରୋଧି ଦଳରେ ଥିବା ଏବେ ସରକାର ଗଢ଼ିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଗାନ୍ଧିମାର୍ଗକୁ ଆସି ଆମ୍ଭମାନଙ୍କର ଦାବିଗୁଡ଼ିକ ଆଇନ ସମ୍ମତ, ବ୍ୟବସ୍ଥା ଅନୁମୋଦିତ, ଆମେ ସରକାରକୁ ଆସିଲେ ଏହି ସମସ୍ତ ଦାବିକୁ ପୂରଣ କରିବା କଥା କହିଥିବା ବେଳେ ଗାନ୍ଧିମାର୍ଗରେ ୧୦ ଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ଆନ୍ଦୋଳନ ସ୍ଥଳକୁ ନ ଆସିବା ବିଡ଼ମ୍ବନାର ବିଷୟ ନୁହେଁ କି ବୋଲି ସାଧାରଣରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକ୍ଷକତାରୁ ରାଜନେତା ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କର ପୂର୍ବଦିନ କଥା ବୋଧହୁଏ ଭୁଲି ଗଲେଣି।
ଏହି ଆନ୍ଦୋଳନ ତୀବ୍ରତର ହୋଇ ଶିକ୍ଷକ ସମାଜର ଲୁହ ଯଦି ପୁଣିଥରେ ଗାନ୍ଧିମାର୍ଗକୁ ଲୋତକ ପ୍ଳାବିତ କରେ ତେବେ ଏ ସରକାରର ଭବିଷ୍ୟତ କ’ଣ ହେବ ଏ କଥା ଚିନ୍ତା କରିବାର ଆବଶ୍ୟକତା ଅଛି। ଆମକୁ ଲୋଭ ଦେଖାଇ ଆମଠାରୁ ଲାଭ ନେଇ ସରକାରକୁ ଆସିଥିବା ବଡ଼ପଣ୍ଡାମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଶିକ୍ଷକ ମାନଙ୍କର ଦୁର୍ଦ୍ଦଶାକୁ ଉପଭୋଗ କରନ୍ତୁ ନାହିଁ।
ଅହୋରାତ୍ର ଧାରଣାର ଦଶମ ଦିବସରେ ଆନ୍ଦୋଳନ ସ୍ଥଳରେ ସି.ପି.ଆଇ.(ଏମ୍.ଏଲ୍.)ର ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର ଏବଂ ଷ୍ଟେଟ୍ କମିଟି ମେମ୍ବର ମହେନ୍ଦ୍ର ପରିଡ଼ା, ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ ସଭାରେ ଉଦ୍ବୋଧନ ଦେବା ସହିତ ଏହି ଆନ୍ଦୋଳନ ପ୍ରତି ତାଙ୍କର ଦଳ ଓ ସଂଗଠନର ସମର୍ଥନ ଜଣାଇଛନ୍ତି।
ପବିତ୍ର ବିଧାନସଭା ଗୃହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ନିମନ୍ତେ ଗଠନ କରିଥିବା କମିଟିର ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ସମ୍ମାନ ଦେଇ ଶିକ୍ଷକ ସମାଜର ମାନ ବୃଦ୍ଧିରେ ସହାୟକ ହୁଅନ୍ତୁ ବୋଲି ମିଳିତ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଶଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି।


