ଭୁବନେଶ୍ୱର: ହାତରେ ଆୟୁଷ୍ମାନ କାର୍ଡ, ତଥାପି ଚିକିତ୍ସା ପାଇଁ ଦେବାକୁ ପଡ଼ୁଛି ହଜାର ହଜାର ଟଙ୍କା। ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନାରେ ‘କ୍ୟାଶ୍ଲେସ୍’ ଚିକିତ୍ସାର ପ୍ରତିଶ୍ରୁତି ଥିବା ବେଳେ ହିତାଧିକାରୀଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ ଅଭିଯୋଗ ଏବେ ଘରୋଇ ହସ୍ପିଟାଲର ଭୂମିକା ଉପରେ ବଡ଼ ପ୍ରଶ୍ନ ଠିଆ କରିଛି।
ଭୁବନେଶ୍ୱରର କିମ୍ସ ଓ ମଣିପାଲ୍ ହସ୍ପିଟାଲ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ସ୍ବାସ୍ଥ୍ୟ ବିଭାଗ ଅଧୀନ ଷ୍ଟେଟ୍ ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ପକ୍ଷରୁ ନୋଟିସ୍ ଜାରି ହୋଇଛି। କିମ୍ସ ବିରୋଧରେ ପ୍ରାୟ ୬ ଜଣ ହିତାଧିକାରୀଙ୍କଠାରୁ ଅତିରିକ୍ତ ଟଙ୍କା ନିଆଯାଇଥିବା ଅଭିଯୋଗ ରହିଛି। କାହାଠାରୁ ୪୦ ହଜାର ତ କାହାଠାରୁ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ ହୋଇଥିବା ନୋଟିସ୍ରେ ଦର୍ଶାଯାଇଛି।
ସବୁଠାରୁ ବଡ଼ ପ୍ରଶ୍ନ ଏଠି। ଯେଉଁ ରୋଗୀମାନେ ଯୋଜନା ଅଧୀନରେ କ୍ୟାଶ୍ଲେସ୍ ଚିକିତ୍ସା ପାଇଁ ଯୋଗ୍ୟ, ସେମାନଙ୍କଠାରୁ ଡାଏଗ୍ନୋଷ୍ଟିକ୍ ଟେଷ୍ଟ ଓ ଔଷଧ ବାବଦରେ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ରହିଛି। ଅର୍ଥାତ୍ କାର୍ଡରେ ଚିକିତ୍ସାର ଖର୍ଚ୍ଚ ବହନ ହେବା କଥା ଥିବା ସତ୍ତ୍ବେ ରୋଗୀଙ୍କ ପକେଟ୍ରୁ ଅଲଗା ଟଙ୍କା ଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ମଣିପାଲ୍ ହସ୍ପିଟାଲ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି। ରାଘବେନ୍ଦ୍ର ମିଶ୍ର ନାମକ ଜଣେ ହିତାଧିକାରୀ ଆୟୁଷ୍ମାନ କାର୍ଡ ଥିବା ସତ୍ତ୍ବେ ଚିକିତ୍ସା ପାଇଁ ସିଧାସଳଖ ୪୦ ହଜାର ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହସ୍ପିଟାଲକୁ ସୋ’କଜ୍ ନୋଟିସ୍ ମଧ୍ୟ ଜାରି ହୋଇଛି।
ଅଭିଯୋଗ କେବଳ ଅତିରିକ୍ତ ଟଙ୍କା ଆଦାୟରେ ସୀମିତ ନୁହେଁ। କିମ୍ସ ବିରୋଧରେ OPD ରୋଗୀଙ୍କୁ IPD ଭାବେ ଦର୍ଶାଇବା, ପ୍ରି-ଅଥରାଇଜେସନ୍ ପ୍ରକ୍ରିୟାରେ ଅନିୟମିତତା ଏବଂ କ୍ଲିନିକାଲ୍ ରେକର୍ଡରେ ଅସଙ୍ଗତି ଭଳି ଅଭିଯୋଗ ମଧ୍ୟ ଆସିଛି। ଏହାସହ ୨୮ ଜଣ ରୋଗୀଙ୍କୁ ICUରେ ଆଡମିଟ୍ ଦର୍ଶାଯାଇଥିବା ବେଳେ କ୍ରିଟିକାଲ୍ କେୟାର ସ୍ପେଶାଲିଷ୍ଟ ଉପଲବ୍ଧ ନଥିବା ନୋଟିସ୍ରେ ଉଲ୍ଲେଖ ରହିଛି।
ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ବୋଝରୁ ମୁକ୍ତ କରି କ୍ୟାଶ୍ଲେସ୍ ଚିକିତ୍ସା ଯୋଗାଇବା। ଏଭଳି ସ୍ଥିତିରେ ଯଦି ହିତାଧିକାରୀଙ୍କୁ ଘରୋଇ ହସ୍ପିଟାଲରେ ପୁଣି ନିଜ ପକେଟ୍ରୁ ଟଙ୍କା ଦେବାକୁ ପଡ଼େ, ତେବେ ଯୋଜନାର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟାନ୍ବୟନ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ।
ଏହା ପ୍ରଥମ ଘଟଣା ନୁହେଁ। ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ଓଡ଼ିଶା ସରକାର ଯୋଜନାର ନିୟମ ଉଲ୍ଲଂଘନ ଅଭିଯୋଗରେ ୧୦ଟି ଘରୋଇ ହସ୍ପିଟାଲକୁ ଡି-ରୋଷ୍ଟର କରିଥିବା ଏବଂ ଅନ୍ୟ ଏକ ହସ୍ପିଟାଲକୁ ଜରିମାନା କରିଥିବା ସୂଚନା ଦେଇଥିଲା।
ଘଟଣାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଯୋଜନାର ନିୟମ ଉଲ୍ଲଂଘନ କରି ହିତାଧିକାରୀଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ କିମ୍ବା ଅନ୍ୟାନ୍ୟ ଅନିୟମିତତା କଲେ ଘରୋଇ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ଏବେ ପ୍ରଶ୍ନ ଆୟୁଷ୍ମାନ କାର୍ଡ ଥିବା ରୋଗୀଙ୍କୁ ଯଦି ଘରୋଇ ହସ୍ପିଟାଲ ଅତିରିକ୍ତ ଟଙ୍କା ମାଗେ, ତେବେ ଦାୟୀ କିଏ? ଯୋଜନାର ଟଙ୍କା ସରକାର ଦେଉଥିବା ବେଳେ ରୋଗୀଙ୍କଠାରୁ ପୁଣି ଆଦାୟ କରିବାର ସୁଯୋଗ କିପରି ମିଳୁଛି? ଏଭଳି ଅଭିଯୋଗ ବଢ଼ିଲେ ସରକାରୀ ସ୍ବାସ୍ଥ୍ୟ ବୀମାର ଲାଭ ନା ଘରୋଇ ହସ୍ପିଟାଲର ବ୍ୟବସାୟ, କାହାର ସ୍ବାର୍ଥ ଆଗରେ ରହୁଛି, ତାହା ନେଇ ଚର୍ଚ୍ଚା ଜୋର ଧରିଛି।


