ବାଲେଶ୍ୱର: ପବିତ୍ର ରକ୍ଷାବନ୍ଧନ ଦିନରେ ଅଘଟଣ। ଭଉଣୀ ରାଖୀ ବାନ୍ଧିବାକୁ ଅପେକ୍ଷା କରିଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହେଲେ ଭାଇ। ମରାମତି ହେଉଥିବା ଏକ ଟ୍ରାକ୍ଟର ଅଟୋଷ୍ଟାର୍ଟ ହୋଇ ଯୁବକଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ିଯାଇଥିଲା।
ଦୁର୍ଘଟଣାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ୨୧ ବର୍ଷୀୟ ରାଜେଶ ସିଂ ଗୁରୁତର ଆହତ ହୋଇଛନ୍ତି। ରାଜେଶ ଦୀର୍ଘଦିନ ଧରି ତାଙ୍କ ମାମୁଁ ଘର ବନ୍ଧସାହିରେ ରହୁଥିଲେ। ରକ୍ଷାବନ୍ଧନ ଅବସରରେ ତାଙ୍କ ଭଉଣୀ ରାଖୀ ବାନ୍ଧିବାକୁ ଆସିଥିଲେ।
ସକାଳେ ରାଜେଶ ଘରକୁ ଫେରୁଥିବା ବେଳେ ରାସ୍ତାରେ ଖରାପ ହୋଇଥିବା ଟ୍ରାକ୍ଟରଟିକୁ ମରାମତି କରାଯାଉଥିଲା। ମରାମତି ସମୟରେ ହଠାତ୍ ଟ୍ରାକ୍ଟରଟି ଅଟୋଷ୍ଟାର୍ଟ ହୋଇ ରାଜେଶଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ିଯାଇଥିଲା।
ସ୍ଥାନୀୟ ଲୋକେ ତୁରନ୍ତ ରାଜେଶଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


