ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାୟର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଓକିଲ ଅଶୋକ ପାଣ୍ଡେ ଏବଂ ଅନ୍ୟମାନେ ସେମାନଙ୍କର ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ଗୋଟିଏ ବି ଡକ୍ୟୁମେଣ୍ଟ ଉପସ୍ଥାପନ କରିପାରି ନାହାଁନ୍ତି। ଆବେଦନରେ ଅଭିଯୋଗ କରାଯାଇଛି ଯେ, ରାହୁଲ ଗାନ୍ଧୀ ଜଣେ ଭାରତୀୟ ନାଗରିକ ନୁହଁନ୍ତି ବରଂ ତାଙ୍କର ବ୍ରିଟିଶ ନାଗରିକତା ଅଛି। କୋର୍ଟ କହିଛନ୍ତି ଯେ, ଆବେଦନକାରୀ ରାହୁଲ ଗାନ୍ଧୀ ନିଜକୁ ବ୍ରିଟିଶ ନାଗରିକ ଘୋଷଣା କରିଛନ୍ତି ବୋଲି ପ୍ରମାଣ କରିବା ପାଇଁ କୌଣସି ପ୍ରମାଣ ଉପସ୍ଥାପନ କରିପାରି ନାହାଁନ୍ତି।
ବିଚାରପତି ଶେଖର ବି. ସରାଫ ଏବଂ ଅବଧେଶ କୁମାର ଚୌଧୁରୀଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଆବେଦନକାରୀଙ୍କ ଦ୍ୱାରା ନିର୍ଭର କରାଯାଇଥିବା ଏକମାତ୍ର ଡକ୍ୟୁମେଣ୍ଟ ହେଉଛି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଏକ ଚିଠି। ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, କୋର୍ଟ କହିଛନ୍ତି ଯେ ଏହି ଚିଠି ଆବେଦନରେ କରାଯାଇଥିବା କୌଣସି ଅଭିଯୋଗକୁ ପ୍ରମାଣିତ କରିନାହିଁ।
କୋର୍ଟ ପୂର୍ବରୁ ମାମଲାର ଶୁଣାଣି କରିବା ନେଇ ସନ୍ଦେହ ପ୍ରକାଶ କରିଥିଲେ କାରଣ ରାହୁଲ ଗାନ୍ଧୀଙ୍କ ନାଗରିକତା ସମ୍ପର୍କରେ ଏକ ଅଭିଯୋଗ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଥିଲା। ତଥାପି, ଆବେଦନକାରୀଙ୍କ ଜିଦ୍ କ୍ରମେ, ଆହ୍ଲାବାଦ ହାଇକୋର୍ଟର ଏକ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ଏବଂ ତାଙ୍କ ଦ୍ୱାରା ଦାଖଲ କରାଯାଇଥିବା କାଗଜପତ୍ର ଯାଞ୍ଚ କରିଥିଲେ। ଆବେଦନକାରୀ ଦାବି କରିଥିଲେ ଯେ, ରାହୁଲ ଗାନ୍ଧୀ ୨୦୦୩ ମସିହାରେ ୟୁକେରେ “ବ୍ୟାକଅପ୍ସ ଲିମିଟେଡ୍” ନାମକ ଏକ କମ୍ପାନୀ ଗଠନ କରିଥିଲେ, ଯେଉଁଥିରେ ସେ ନିଜକୁ ଜଣେ ବ୍ରିଟିଶ ନାଗରିକ ବୋଲି ଘୋଷଣା କରିଥିଲେ। ତଥାପି କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଆବେଦନକାରୀ ୟୁକେ ରେଜିଷ୍ଟ୍ରାର ଅଫ୍ କମ୍ପାନୀଜ୍ କିମ୍ବା କୌଣସି ସରକାରୀ ରେକର୍ଡରୁ ଏପରି କୌଣସି ଦଲିଲ୍ ଉପସ୍ଥାପନ କରିପାରି ନାହାଁନ୍ତି।
ଅଦାଲତର ଏହି କଠୋର ମନ୍ତବ୍ୟ ପରେ ଆବେଦନକାରୀ ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ମାଗିଥିଲେ। ହାଇକୋର୍ଟ ତାଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ ଏବଂ ପ୍ରତ୍ୟାହାର ଆଧାରରେ ଆବେଦନକୁ ଖାରଜ କରିଥିଲେ। ଶୁଣାଣି ସମୟରେ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲମାନେ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ନାଗରିକତା ସହିତ ଜଡିତ ଆଉ ଏକ ମାମଲା ହାଇକୋର୍ଟର ଅନ୍ୟ ଏକ ଖଣ୍ଡପୀଠ ସମ୍ମୁଖରେ ବିଚାରାଧୀନ ଅଛି।


