ନୂଆଦିଲ୍ଲୀ: ଭାରତୀୟ ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କ ସମେତ ୪ ଜଣ ଖେଳାଳି ୯ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚରେ ଭାଗ ନେବେ। ସେପ୍ଟେମ୍ବର ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଏହି ଖେଳାଳିମାନଙ୍କ ଫିଟନେସର ଆକଳନ କରାଯିବ। ବୁମରାଙ୍କ ବ୍ୟତୀତ ହର୍ଷିତ ରାଣା, ୱାଶିଂଟନ୍ ସୁନ୍ଦର ଏବଂ ନୀତିଶ ରେଡ୍ଡୀ ମଧ୍ୟ ମ୍ୟାଚ୍ ସିମୁଲେସନରେ ସାମିଲ ହେବେ। ଏହି ମ୍ୟାଚ୍ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ରେ ହେବ।
ବୁମରାଙ୍କୁ ଅଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ର ଟି-୨୦ ସିରିଜ୍ ପାଇଁ ଟିମ୍ରେ ସାମିଲ କରାଯାଇଛି। ତେବେ ତାଙ୍କ ଖେଳିବା ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ୪ ଜଣ ଖେଳାଳି ଭିନ୍ନ ଭିନ୍ନ ଆଘାତ କାରଣରୁ ଭାରତୀୟ ଟିମ୍ରୁ ବାହାରେ ରହିଛନ୍ତି। ତେବେ ଅଫଗାନିସ୍ତାନ ସିରିଜ୍ ପାଇଁ ସେମାନେ ଉପଲବ୍ଧ ରହିବେ ବୋଲି ସିଓଇ ଭରସା ଦେଇଛି। ଭାରତୀୟ ଖେଳାଳି ଲଗାତାର ଆହାତ ହେବା କାରଣରୁ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ପ୍ରଶ୍ନଘେରରେ ରହିଛି। ଆହାତ କାରଣରୁ ବହୁ ଅବସରରେ ନିଜର ପ୍ରଥମ ପସନ୍ଦ ଖେଳାଳିଙ୍କ ବିନା ଟିମ୍କୁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ୁଛି।
ମୁମ୍ବାଇରେ ହୋଇଥିବା ସମୀକ୍ଷା ବୈଠକ ପରେ ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ କହିଥିଲେ ଯେ ଖେଳାଳିମାନଙ୍କ ବ୍ୟସ୍ତ କ୍ରିକେଟ୍ କ୍ୟାଲେଣ୍ଡର ଆଘାତ ସମସ୍ୟା ସୃଷ୍ଟି କରୁଛି। ସେ ସଙ୍କେତ ଦେଇଛନ୍ତି ଯେ ଭବିଷ୍ୟତରେ ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ (ଏଫଟିପି) ପ୍ରସ୍ତୁତ କରିବା ସମୟରେ ଖେଳାଳିମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଏବଂ ପ୍ରସ୍ତୁତି ପାଇଁ ସମୟ ଦେବା ଉପରେ ଧ୍ୟାନ ଦିଆଯିବ। ବୁମରାଙ୍କ ବ୍ୟାକ୍ଅପ୍ ଭାବେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ପ୍ରସ୍ତୁତ କରି ରଖାଯାଇଛି। ସେ ଚଳିତ ବର୍ଷ ଜୁନ୍ରେ ଭାରତ ପାଇଁ ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ।
ବୁମରାଙ୍କୁ ରେଡ୍-ବଲ୍ କ୍ରିକେଟ୍ ଖେଳିବା ପ୍ରାୟ ଏକ ବର୍ଷ ହୋଇସାରିଛି। ଫଳରେ ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି ଯେ ଚଳିତ ବର୍ଷ ଶେଷ ଆଡ଼କୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଅବସରରେ ଟେଷ୍ଟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ସେ କିଛି ମ୍ୟାଚ୍ ଖେଳନ୍ତୁ। ‘ଟାଇମ୍ସ ଅଫ୍ ଇଣ୍ଡିଆ’ ରିପୋର୍ଟ ଅନୁସାରେ ବୁମରାଙ୍କ ଆଗାମୀ ପ୍ରଥମ ଶ୍ରେଣୀ କ୍ରିକେଟ୍ର ଲମ୍ବା ସ୍ପେଲ୍ ଏବଂ ମ୍ୟାଚ୍ର ପୂରା ଭାର ସମ୍ଭାଳିବା ପାଇଁ ପ୍ରସ୍ତୁତ ରହିବା ଟିମ୍ ମ୍ୟାନେଜମେଣ୍ଟ ସୁନିଶ୍ଚିତ କରିବାକୁ ଚାହୁଁଛି।


