ତେହେରାନ: ଇରାନର ପ୍ରମୁଖ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପ (ଖାର୍ଗ ଆଇସଲାଣ୍ଡ) ନିକଟରେ ଆଜି ଏକ ଇରାନୀ ତୈଳ ଜାହାଜ ଉପରେ ଆମେରିକାର ମିସାଇଲ ଆକ୍ରମଣ ହୋଇଛି। ଖାର୍ଗ ଦ୍ୱୀପରୁ ପ୍ରାୟ ୬ ନଟିକାଲ ମାଇଲ ଦୂରରେ ଥିବା ଏକ ଛୋଟ ତୈଳ ଜାହାଜରୁ ତୈଳ ଖଲାସ ହେଉଥିବା ସମୟରେ ଏହା ଉପରେ ୪ଟି ପ୍ରକ୍ଷେପଣାସ୍ତ୍ର (ମିସାଇଲ) ମାଡ଼ ହୋଇଥିବା ଇରାନ ସୂଚନା ଦେଇଛି । ସୂଚନା ଅନୁସାରେ, ଏହି ମିସାଇଲ ଆକ୍ରମଣ ପରେ ସମ୍ପୃକ୍ତ ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ତେବେ ଇରାନର ରିପୋର୍ଟ ଅନୁସାରେ, ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲେ ମଧ୍ୟ ସେଠାରେ ଧୂଆଁ ଉଠୁଥିବାର ଦେଖାଯାଇ ନାହିଁ। ଏହି ଘଟଣାରେ କୌଣସି ହତାହତ କିମ୍ବା ମୃତ୍ୟୁର ଖବର ମିଳିନଥିବା ବେଳେ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଦିଆଯାଉଥିବା ଜଣାପଡ଼ିଛି। ଇରାନ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଆକ୍ରମଣ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବକ୍ତବ୍ୟ ଆସିନାହିଁ।
ଇରାନର ମୋଟ ଅଶୋଧିତ ତୈଳ ରପ୍ତାନିର ପ୍ରାୟ ୯୦% ରୁ ୯୫% ଭାଗ ଏହି ଖାର୍ଗ ଦ୍ୱୀପ ଦେଇ ପରିଚାଳିତ ହୋଇଥାଏ। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଧମକ ଦେଇଥିଲେ। ଜୁନ୍ ୧୮ରେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଧୀନତା ନେଇ ଦୁଇ ଦେଶ ମଧ୍ୟରେ ଏକ ସହମତି ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲେ ସୁଦ୍ଧା ସୁରକ୍ଷା ବ୍ୟବସ୍ଥାକୁ ନେଇ ମତଭେଦ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ବର୍ତ୍ତମାନର ଏହି ଆକ୍ରମଣ ଘଟଣା ପଶ୍ଚିମ ଏସିଆରେ ଉତ୍ତେଜନାକୁ ଚରମ ସୀମାରେ ପହଞ୍ଚାଇଛି।


