ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଓ ଉଦୟପୁର ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସାଧାରଣତଃ ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖାଯାଉ ନଥିବାରୁ ଏହି ଗ୍ରାମାଞ୍ଚଳ ଜଙ୍ଗଲକୁ ଏମାନେ କେଉଁଠୁ ଏବଂ କେମିତି ଆସିଲେ, ସେ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
ଓରାଙ୍ଗଉଟାନଙ୍କୁ ଦେଖିବା ପରେ ଜଙ୍ଗଲ ନିକଟରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୫ଟି ଜୀବଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିକଟସ୍ଥ ପଶୁ ଚିକିତ୍ସାଳୟକୁ ନିଆଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପ୍ରେମ ଝାଙ୍କ ସୂଚନା ଅନୁଯାୟୀ, ବାଲେଶ୍ୱରରୁ ଠାବ ହୋଇଥିବା ଏହି ଓରାଙ୍ଗଉଟାନଗୁଡ଼ିକର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଏମାନଙ୍କୁ କେହି ବେଆଇନ ଭାବେ ପୋଷିଥିଲେ ନା ଅନ୍ୟ କୌଣସି ସ୍ଥାନରୁ ଚୋରା ଚାଲାଣ କରାଯାଉଥିଲା, ବନ ବିଭାଗର ପୂର୍ଣ୍ଣାଙ୍ଗ ତଦନ୍ତ ପରେ ତାହାର ପ୍ରକୃତ କାରଣ ସ୍ପଷ୍ଟ ହେବ।


