କଟକ: କଟକ ସିଡିଏ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କଲେଜ ପରିସରରୁ ଛାତ୍ରଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି।
ମୃତ ଛାତ୍ର ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ୧୭ ବର୍ଷୀୟ ଚିନ୍ମୟ କୁମାର ସାହୁ। ସେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ।
ଘଟଣା ପରେ ଚିନ୍ମୟଙ୍କ ପରିବାର ପକ୍ଷରୁ କଟକ ଫେଜ୍-୨ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ଏହାକୁ କେବଳ ଆତ୍ମହତ୍ୟା ଘଟଣା ବୋଲି ଗ୍ରହଣ ନକରି ଚିନ୍ମୟଙ୍କୁ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛି।
ଛାତ୍ରଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ଏହା ଆତ୍ମହତ୍ୟା ନା ଅନ୍ୟ କିଛି ଘଟଣା ଏବଂ ପରିବାର ଆଣିଥିବା ହତ୍ୟା ଅଭିଯୋଗରେ କେତେ ସତ୍ୟତା ରହିଛି – ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ବିଭିନ୍ନ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ପୋଲିସର ତଦନ୍ତ ଓ ପରବର୍ତ୍ତୀ ରିପୋର୍ଟ ପରେ ହିଁ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ।


